Categories: ଜାତୀୟ

‘ଅଖିଳେଶଙ୍କ ସମାଜବାଦୀ ପାର୍ଟି ୨୦୨୪ରେ ସମାପ୍ତବାଦୀ ହେବାକୁ ଯାଉଛି’

ଲକ୍ଷ୍ନୌ,୧୭।୬: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୟରେ ଉତ୍ତରପ୍ରଦେଶ କ୍ରମାଗତ ଭାବେ ଆଗକୁ ବଢୁଛି। ଗରିବ, ଯୁବକ, କୃଷକ ଏବଂ ମହିଳାଙ୍କ ପାଇଁ ଭଲ କାମ କରାଯାଉଛି। ନିର୍ବାଚନ ପରେ ଆମ ଦଳ ସମସ୍ତ ପ୍ରତିଶ୍ରୁତି ପୂରଣ କରେ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଏହା ବ୍ୟତିତ ୟୁପିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସେ କହିଛନ୍ତି, ଯଦି ପୋଲିସ ଉପରେ ଗୁଳି ଚଳାଯାଏ ତେବେ ସେମାନେ ଏହାର ଉତ୍ତର ପାଇବେ, ଅପରାଧୀଙ୍କୁ ହିନ୍ଦୁ-ମୁସଲମାନ ବୋଲି କହିବା ଭୁଲ ଅଟେ।
ୟୁପିରେ ଲୋକ ସଭା ନିର୍ବାଚନ ରଣନୀତି ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଏଥର ୟୁପିରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ସମସ୍ତ ୮୦ଟି ଆସନ ଜିତିବାକୁ ଚେଷ୍ଟା କରୁଛୁ। ଏଥିପାଇଁ ସମସ୍ତ କାର୍ଯ୍ୟ କରାଯାଉଛି। କେଶବ ପ୍ରସାଦ ମୌର୍ଯ୍ୟ ଆହୁରି କହିଛନ୍ତି ଯେ, ୨୦୨୪ରେ ଅଖିଳେଶ ଯାଦବଙ୍କ ସମାଜବାଦୀ ଦଳ ସମାପ୍ତବାଦୀ ହେବାକୁ ଯାଉଛି। ଆସନ୍ତା ଲୋକ ସଭା ନିର୍ବାଚନରେ ସମାଜବାଦୀ ଦଳ ଖାତା ଖୋଲିପାରିବ ନାହିଁ। ୨୦୨୪ରେ ଦେଶରେ ପୁଣି ଥରେ ପଦ୍ମ ଫୁଟିବ ଏବଂ ଆମର ମେଣ୍ଟ ଦଳ ୩୫୦ଟି ଆସନ ଜିତିବାକୁ ଯାଉଛନ୍ତି ।

Share