Categories: ଖେଳ

ତେନ୍ଦୁଲକରଙ୍କୁ କ୍ଷମା ମାଗିଲେ ପିଟରସନ୍, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୮।୩: କୋଭିଡ ସମ୍ବନ୍ଧିତ ଏକ ଟୁଇଟ୍‌କୁ ନେଇ ଅଡ଼ୁଆରେ ପଡ଼ିବା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ଷମା ମାଗିଛନ୍ତି ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ୍‌ ପିଟରସନ୍। ଶନିବାର ସଚିନ କରୋନା ସଂକ୍ରମିତ ହୋଇଥିବା ନେଇ ଟୁଇଟ୍‌ କରିଥିଲେ। ଏହାପରେ ପିଟରସେନ ଏକ ଟୁଇଟ୍‌ କରି, କରୋନା ହେଲେ ସାରା ବିଶ୍ୱକୁ ଜଣାଇବା ପଛରେ କି କାରଣ ରହିଛି କେହି ଜଣେ ତାଙ୍କୁ କୁହନ୍ତୁ ବୋଲି ଲେଖିଥିଲେ। ଏହାର ଜବାବରେ ଯୁବରାଜ ସିଂହ ଲେଖିଥିଲେ ଆପଣଙ୍କୁ ଆଜି ଏ ବିଚାର କ’ଣ ପାଇଁ ଆସିଲା। ପୁଣି ଏକ ଜବାବରେ ସେ ଲେଖିଥିଲେ, ମୁଁ ଆପଣଙ୍କୁ ଚିଡ଼ାଉଛି ବନ୍ଧୁ। ତେବେ ପିଟରସନ୍ ସଚିନଙ୍କୁ କରୋନା ହୋଇଥିବା ଜାଣିବା ପରେ ଯୁବରାଜଙ୍କ କଥାର ଉତ୍ତର ରଖି ମାଷ୍ଟର ବ୍ଲାଷ୍ଟରଙ୍କୁ କ୍ଷମା ମାଗିଥିଲେ। ସଚିନ୍‌ ପଜିଟିଭ୍‌ ହୋଇଥିବା ଏବେ ସେ ଜାଣିବାକୁ ପାଇଲେ। କ୍ଷମା କରିବେ। ଶୀଘ୍ର ସୁସ୍ଥ ହୁଅ ବନ୍ଧୁ ବୋଲି ସେ କହିଥିଲେ।

କଥାଟି ସେଇଠି ରହି ନ ଥିଲା। ପରେ ପିଟରସନ୍ ଆଉ ଏକ ଟୁଇଟ କରି ସଫେଇ ଦେଇଥିଲେ। ସେ କାହାକୁ କ୍ଷତି ପହଞ୍ଚାଇବା ଭଳି ପ୍ରଶ୍ନ କରି ନ ଥିଲେ। ସମସ୍ତେ ସୋସିଆଲ ମିଡିଆରେ ସଂକ୍ରମିତ ହେବାର ଘୋଷଣା କରୁଛନ୍ତି। ଆଖପାଖର ଲୋକଙ୍କୁ ଏହା ଜଣାଇବା ଉଚିତ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ପରୀକ୍ଷା କରାଇନେବ। ଏହା ଗ୍ରହଣୀୟ ବୋଲି କହିଥିଲେ।

Share