ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର ପ୍ରଶଂସା କରୁଥିବା ଦେଖାଯାଉଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୋଫ୍ରା ଆର୍ଚରଙ୍କ ବଲ୍ରେ ରିଭର୍ସ ଶର୍ଟ ଖେଳି ବଲ୍କୁ ବାଉଣ୍ଡରି ବାହାରକୁ ପଠାଇଥିଲେ। ଏହା ଛକା ହୋଇଥିଲା। ସୋସିଆଲ ମିଡିଆରେ ଏହାର ଏକାଧିକ ଭିଡିଓ ଘୁରି ବୁଲୁଥିବା ବେଳେ ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ ପିଟରସନ୍ ଚକିତ ହୋଇଯାଇଥିବା କହିଛନ୍ତି। ଟୁଇଟ୍ କରି ସେ ପନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପନ୍ତଙ୍କ ଶର୍ଟ କ୍ରିକେଟ ଇତିହାସର ସବୁଠାରୁ ସୁନ୍ଦର ଶର୍ଟ ବୋଲି ସେ କହିଛନ୍ତି।