ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧୪ରେ ଏହାର ଦ୍ୱିତୀୟ ଭାଗ ରିଲିଜ ହେବାକୁ ଯାଉଛି। ଏହାକୁ ନେଇ ଏବେଠାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳୁଛି।
କନ୍ନଡ ଫିଲ୍ମଜଗତର ସବୁଠାରୁ ଅଧିକ ପାଉଣା ନେଉଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ୟଶ। ଆଜିର ସଫଳତା ପାଇବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମ ପିଛା ୟଶ ୧୫ କୋଟି ଟଙ୍କା ଚାର୍ଜ କରିଥାନ୍ତି।

ୟଶଙ୍କ ପ୍ରକୃତ ନାମ ନବୀନ କୁମାର ଗୌଡ଼ା। ହେଲେ ସେ ତାଙ୍କର ଷ୍ଟେଜ୍‌ ନାମରୁ ଲୋକପ୍ରିୟ ହୋଇଥିଲେ। କର୍ନାଟକର ହସନ ଜିଲାର ଭୁବନାହାଲି ଗାଁର ଏକ ମଧ୍ୟବିତ ପରିବାରରେ ତାଙ୍କ ଜନ୍ମ। ବାପା ତାଙ୍କର ଡ୍ରାଇଭର। ପୁଅ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ହେଁ ଏବେ ବି ସେ ଡ୍ରାଇଭର ଥିବା କୁହାଯାଏ।

ୟଶ ପାଠପଢ଼ା ସରିବା ପରେ ବେନକା ଡ୍ରାମା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ୨୦୦୫ରେ ନନ୍ଦ ଗୋକୁଳ ଟେଲି ଧାରାବାହିକରୁ ସେ ନିଜର ଅଭିନୟରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ଶୋ’ରେ ନଜର ଆସିଥିଲେ। ପ୍ରାରମ୍ଭିକ ସମୟରେ ଛୋଟ ଛୋଟ ଚରିତ୍ରରୁ ସେ ଅଭିନୟ ଆରମ୍ଭ କରି ଆଜି ନାୟକ ସାଜିଛନ୍ତି। ୨୦୧୦ରେ ଫିଲ୍ମ ‘ମୋଦାଲସାଲା’ ଜରିଆରେ ପରିଚିତ ଚେହେରା ପାଲଟିଥିଲେ ସେ। ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଛନ୍ତି ସେ।

୨୦୧୮ରେ ରିଲିଜ ହୋଇଥିଲା ୟଶଙ୍କ ଅଭିନୀତ ଫିଲ୍ମ ‘କେଜିଏଫ୍‌’। ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ବଡ଼ ବଜେଟର ଏହି ବଡ଼ ଫିଲ୍ମ କନ୍ନଡ଼ ସିନେମାର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ଦ୍ୱିତୀୟ ଭାଗ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ୟଶ ରାଧିକା ପଣ୍ଡିତଙ୍କୁ ବିବାହ କରିଛନ୍ତି। ସେ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ। ୨୦୧୬ରେ ବିବାହ ପରେ ସେ ଅଭିନୟ ଛାଡ଼ି ପରିବାରରେ ମନୋନିବେଶ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛି।

Share