ଧମାଲ କଲା ତମନ୍ନାଙ୍କ ନାଚ, ଅବିନାଶଙ୍କ ଗୀତ

ଭୁବନେଶ୍ୱର,୪।୨ (ବ୍ୟୁରୋ): କୁମ୍ଭମେଳା ଅବସରରେ ଖଣ୍ଡଗିରି ଓଟିଡିସି ପାନ୍ଥିକାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ଚାଲିଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ଓଲିଉଡ୍‌ ଅଭିନେତ୍ରୀ ତପନ୍ନା ବ୍ୟାସଙ୍କ ଠୁମ୍‌କା ଧମାଲ୍‌ କରିଥିବାବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ଅବିନାଶ ଦାସ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଦର୍ଶକଙ୍କ କରତାଳି ସାଉଣ୍ଟିଥିଲେ। ସେହିପରି କଣ୍ଠଶିଳ୍ପ କୁଲଦୀପ ପଟ୍ଟନାୟକ ଓ ଚେଲସୀ ବେଉରାଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ତୃତୀୟ ଦିନରେ ମଧ୍ୟ ରାଉରକେଲାର ଆରଡିଏକ୍ସ ଗ୍ରୁପ୍‌ ଦର୍ଶକଙ୍କୁ ନଚାଇଥିଲେ। ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ସମ୍ପାଦିକା କସ୍ତୁରୀ ମହାପାତ୍ର, ଓଡ଼ିଶା କୃଷି ଓ ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ. ସନ୍ତୋଷ ବେଜ୍‌ ପ୍ରମୁଖ ଯୋଗଦେଇଥିଲେ।

Share