Categories: ବାଣିଜ୍ୟ

ଖଦିମେଳା ଆୟୋଜନ କରିବ କେଭିଆଇସି

ଭୁବନେଶ୍ୱର,୨୯।୧୨:ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା କେନ୍ଦ୍ର ସରକାରଙ୍କ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଗୁରୁବାର ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ପୂର୍ବ କ୍ଷେତ୍ର ସଦସ୍ୟ ମନୋଜ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଓଡ଼ିଶା ରାଜ୍ୟରେ ଖଦି ଓ ଗ୍ରାମୋଦ୍ୟୋଗର କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସିଂହ କହିଥିଲେ, ରାଜ୍ୟରେ ଖଦି ଉତ୍ପାଦନ ବୃଦ୍ଧି ସହ ବିକ୍ରୟ ପରିମାଣ (ବିକ୍ରି ବୃଦ୍ଧି) ବଢାଇବା ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ଖଦିମେଳାର ଆୟୋଜନ କରାଯିବ। ସେହିଭଳି ନୂତନ ଖଦି ସଂସ୍ଥା ଏବଂ ବିକ୍ରୟ କେନ୍ଦ୍ର ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ସର୍ବ ସାଧାରଣ ଲୋକଙ୍କୁ ବିସ୍ତୃତ ସୂଚନା ଦିଆଯିବ ବୋଲି ମନୋଜ ମତପ୍ରକାଶ କରିଛନ୍ତି। ସେହିପରି ଉକ୍ତ ବୈଠକରେ ମନୋଜ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ଏପରିକି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ସ୍ଥିତ ସନ୍ତୋଷଜନକ ରହିଥିବାବେଳେ ବର୍ଷ ୨୦୨୩-୨୪ ମଧ୍ୟରେ ୨୭୦୦ ଇକାଇ ଜରିଆରେ ପ୍ରାୟ ୧୨,୦୦୦ ଲୋକଙ୍କୁ ରୋଜଗାର ଦେବା ପାଇଁ ଆୟୋଗ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ସିଂହ କହିଥିଲେ, ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ବିଦ୍ୟୁତ୍‌ଚାଳିତ କୁମ୍ଭାର ଚକ, ପେପର ମଚେ, ସବାଇ ଘାସର ରଶି,ମହୁମାଛି ପାଳନ ଭଳି ଅନେକ ସୁବିଧା ଲୋକଙ୍କୁ ବଣ୍ଟନ କରାଯିବ। ଏହି ଅବସରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ନିର୍ଦ୍ଦେଶକ ଆଇ. ଜବାହର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share