Categories: ଜାତୀୟ

ଖଲିସ୍ତାନ ପତାକା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଶିମଲା,୮।୫: ହିମାଚଳପ୍ରଦେଶ ବିଧାନସଭାର ମୁଖ୍ୟ ପ୍ରବେଶ ପଥ ଏବଂ କାନ୍ଥରେ ରବିବାର ଖଲିସ୍ତାନ ପତାକା ଲାଗିଥିବା ଦେଖାଯାଇଛି। ଧର୍ମଶାଳାସ୍ଥିତ ଆସେମ୍ବ୍ଲି ବିଲ୍ଡିଂର କାନ୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପ୍ରଶାସନ ଉକ୍ତ ପତାକାକୁ ହଟାଇ ଦେଇଛି। ଖଲିସ୍ତାନ ପତାକା ଲଗାଯିବା ଘଟଣାକୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିନ୍ଦା କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପଛରେ ପଞ୍ଜାବର କେତେଜଣ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ ବିଭିନ୍ନ ରାଜ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ହିମାଚଳପ୍ରଦେଶ ସୀମାକୁ ଲାଗି ଜମ୍ମୁ-କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ, ହରିୟାଣା ଏବଂ ପଞ୍ଜାବ ସୀମା ରହିଛି। ଖଲିସ୍ତାନ ପତାକା ଲଗାଯିବା ଘଟଣାରେ ଏତଲା ଦାଏର ହେବା ସହ ତଦନ୍ତ ଆରମ୍ଭ ହୋଇଛି। ଅପରାଧୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯାଇ ଉପଯୁକ୍ତ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share