Categories: ଜାତୀୟ

ତିହାର ଜେଲ୍‌ରେ ଖଲିସ୍ତାନୀ ସକ୍ରିୟ, ସହାୟତା ଯୋଗାଇ ଦେଉଛନ୍ତି ଗ୍ୟାଙ୍ଗଷ୍ଟର- ଜେଲ୍‌ କର୍ମଚାରୀ…

ତିହାର, ୨।୬ : ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ, ଖଲିସ୍ତାନୀ ଗୋଷ୍ଠୀର ସକ୍ରିୟତା ମଧ୍ୟ ଚିନ୍ତାର କାରଣ ପାଲଟିଛି। ପ୍ରକାଶ ଯେ, ଏହି ଗୋଷ୍ଠୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ତିହାରରେ ରହୁଥିବା ଅପରାଧୀଙ୍କ ସାହାଯ୍ୟ ନେଉଛନ୍ତି। କେବଳ ଏତିକି ନୁହେଁ ଜେଲ କର୍ମଚାରୀଙ୍କ ସହାୟତା ମିଳୁଥିବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି। ରବିବାର ଜବାହରକେ ଗାଁରେ ମୁସୱାଲାଙ୍କୁ ହତ୍ୟା କରାଯାଇଥିଲା। ନ୍ୟୁଜ ୧୮ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀର ତିହାର ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଖଲିସ୍ତାନୀ ଗୋଷ୍ଠୀ ବ୍ୟବହାର କରୁଛନ୍ତି।

ତାଙ୍କ କହିବାନୁସାରେ, ଏହି ଅପରାଧୀମାନେ ଜେଲ ପରିସରରୁ ନିଜର କାର୍ଯ୍ୟକଳାପ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସୂତ୍ରରୁ ଜଣାପଡିଛି ଯେ ତିହାରରେ ପ୍ରାୟ ୧୭-୧୮ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ସେମାନଙ୍କ କାର୍ଯ୍ୟକୁ ସୁରୁଖୁରୁରେ ଜେଲରେ ରହି ମଧ୍ୟ ଫିଲ୍ମ ଷ୍ଟାଇଲରେ ଚଳାଉଛନ୍ତି।

ଟଙ୍କା ବଦଳରେ ଅପରାଧୀଙ୍କୁ ସାହାଯ୍ୟ କରୁଥିବା ଜେଲ କର୍ମଚାରୀଙ୍କ ଭୂମିକା ନେଇ ମଧ୍ୟ ଅନୁସନ୍ଧାନ ଚାଲିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିଛି ଜେଲ କର୍ମଚାରୀ ଜେଲ ଭିତରେ ଫୋନ ଏବଂ ସିମ କାର୍ଡ ବିତରଣ ପାଇଁ ବିପୁଳ ପରିମାଣର ଟଙ୍କା ଲୁଟି ନେଉଥିବାର ଅଭିଯୋଗ ହୋଇଛି।

ସୂତ୍ରରୁ ପ୍ରକାଶ ଯେ କାନାଡାର ଖଲିସ୍ତାନୀ ଗୋଷ୍ଠୀ ଏହି ଗ୍ୟାଙ୍ଗଷ୍ଟରମାନଙ୍କୁ ଅପରାଧିକ ତଥା ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଗୋଷ୍ଠୀଗୁଡିକ ଟଙ୍କା ଆଦାୟ ପାଇଁ ଗାୟକମାନଙ୍କୁ ଚିହ୍ନଟ କରିଛନ୍ତି । ସମ୍ପ୍ରତି ପଞ୍ଜାବୀ ଗାୟକ ମାନକିରାଟ ଅଲାଖ ସୁରକ୍ଷା ଦାବି କରିଛନ୍ତି। ମୁସୱାଲାଙ୍କ ହତ୍ୟା ପାଇଁ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। ବିଶେଷ କଥା ହେଉଛି ସେ ତିହାର ଜେଲାରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ନିକଟତର।

ତିହାର ଜେଲରେ ରହୁଥିବା ଅଧିକାଂଶ ଗ୍ୟାଙ୍ଗଷ୍ଟର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ବାସିନ୍ଦା। ରିପୋର୍ଟ ଅନୁଯାୟୀ, ଜେଲ ଅଧିନିୟମ ଅନୁଯାୟୀ ସେମାନଙ୍କୁ ବିଭିନ୍ନ ଜେଲକୁ ପଠାଇବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ।

Share