Categories: ଜାତୀୟ

ସ୍ତ୍ରୀଙ୍କ ପାଇଁ ଦେଶ ବାହାରକୁ ପଳାଇ ନ ଥିଲେ ଅମ୍ରିତପାଲ

ଚଣ୍ଡିଗଡ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ଗିରଫ ହେବା ପରେ ରବିବାର ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ଅମ୍ରିତପାଲଙ୍କୁ ଡିବ୍ରୁଗଡ ଜେଲରେ ଏକ ପୃଥକ କୋଠରୀରେ ରଖାଯାଇଛି। ଅମ୍ରିତପାଲ ଗିରଫ ହେବା ପରେ ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ, ସେ ଭାରତରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସ୍ତ୍ରୀଙ୍କ କାରଣରୁ ସେ ତାହା କରି ନ ଥିଲେ। ସୂଚନାଯୋଗ୍ୟ, ଅମ୍ରିତପାଲଙ୍କ ସ୍ତ୍ରୀ କିରଣଦୀପ କୌର ବ୍ରିଟେନର ନାଗରିକ ଏବଂ ଗତ କିଛି ଦିନ ହେବ ସେ ଭାରତରେ ଅଛନ୍ତି। ଅମ୍ରିତପାଲ ଅଣ୍ଡରଗ୍ରାଉଣ୍ଡ ହେବା ଦିନଠାରୁ ପୋଲିସ ତାଙ୍କ ସ୍ତ୍ରୀଙ୍କ ଉପରେ ନଜର ରଖିଥିଲା। ପୋଲିସ ଜାଣିଥିଲା ଯେ ଅମ୍ରିତପାଲ ନିଶ୍ଚିତ ଭାବରେ ତାଙ୍କ ସ୍ତ୍ରୀଙ୍କ ସହ ଶୀଘ୍ର ଯୋଗାଯୋଗ କରିବେ।

କିରଣଦୀପଙ୍କର ଜୁଲାଇରେ ଭିସା ଅବଧି ଶେଷ ହେବାର ଥିଲା। କିଛି ଦିନ ପୂର୍ବରୁ ଅମୃତସର ବିମାନ ବନ୍ଦରରେ କିରଣଦୀପଙ୍କୁ ମଧ୍ୟ ଅଟକାଯାଇଥିଲା। ସେ ସେହି ସମୟରେ ଲଣ୍ଡନକୁ ଫେରିବାକୁ ଚାହୁଁଥିଲେ। ଚଳିତ ବର୍ଷ ଫେବୃଆରୀରେ ବିବାହର ଏକ ସପ୍ତାହ ପୂର୍ବରୁ କିରଣଦୀପ ଭାରତ ଆସିଥିଲେ। ମାର୍ଚ୍ଚରେ ଅମ୍ରିତପାଲଙ୍କ ମା’ଙ୍କ ସହ କିରଣଦୀପଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୂତ୍ରରୁ ପ୍ରକାଶ, ଅମ୍ରିତପାଲ ଚାହୁଁଥିଲେ ତାଙ୍କ ସ୍ତ୍ରୀ କିରଣଦୀପ କେମିତି ସୁରକ୍ଷିତ ଭାବେ ଭାରତ ବାହାରକୁ ପଳାଇଯାଆନ୍ତୁ। ସେ ଅନୁଭବ କରିଥିଲେ ଯେ, ଯଦି ସେ ତାଙ୍କ ସ୍ତ୍ରୀଙ୍କ ଆଗରୁ ଏଠାରୁ ଭାରତରୁ ପଳାନ୍ତି, ତେବେ ତାଙ୍କ ପଳାୟନ ପାଇଁ ପୋଲିସ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରିବ।

Share