ନୂଆଦିଲ୍ଲୀ,୨୬ ।୩: ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ୍ତୀ ସମର୍ଥକ ଅମୃତପାଲ ସିଂଙ୍କୁ ଧରିବାକୁ ପଞ୍ଜାବ ପୋଲିସ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଖଲିସ୍ତାନ ସମର୍ଥକ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ତ୍ରିରଙ୍ଗାକୁ ହଟାଇ ଖଲିସ୍ତାନ ପତାକା ଲଗାଇବାକୁ ଧମକ ଦେଇଛନ୍ତି । ଏହି ଧମକ ଏକ ଅଡିଓ ମେସେଜ ମାଧ୍ୟମରେ ଦିଆଯାଇଛି । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି ।
ଦିଲ୍ଲୀ ପୋଲିସରେ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ କି ଯେତେବେଳେ ସେ ୱାୟା ଫ୍ଲାଇଟ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ସେତେବେଳେ ଏୟାରପୋର୍ଟରେ ଓହ୍ଲାଇବା ସମୟରେ ତାଙ୍କ ଫୋନରେ ପୂର୍ବରୁ ରେକର୍ଡ ହୋଇଥିବା ଏକ ଅଡିଓ ମେସେଜ ରିସିଭ ହୋଇଥିଲା, ଯେଉଁଥିରେ ଭାରତୀୟ ପତାକା(ତ୍ରିରଙ୍ଗା)କୁ ହଟାଇ ଖଲିସ୍ତାନୀ ପତାକା ଲଗାଯାଇଥିବା ଧମକ ଦିଆଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁନିଟ ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ କରିଛି ।
ଅଡିଓରେ କଥିତ ଭାବେ ଖଲିସ୍ତାନୀ ସମର୍ଥକ ପ୍ରଗତି ମଇଦାନରେ କବଜା କରିବା ଓ ଭାରତୀୟ ରାଷ୍ଟ୍ରୀୟ ଧ୍ୱଜା ‘ତ୍ରିରଙ୍ଗା’ ତଳକୁ ଖସାଇବାକୁ ଧମକ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ବି ଅପଶବ୍ଦର ବ୍ୟବହାର କରିଥିଲେ ।
Posted inଜାତୀୟ