ବ୍ରହ୍ମପୁରରୁ ଚୋରି ଖମ୍ବେଶ୍ବରୀ ବସ ଗଞ୍ଜାମରୁ ଉଦ୍ଧାର

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ): ବ୍ରହ୍ମପୁରରୁ ଚୋରି ହୋଇଥିବା ଖମ୍ବେଶ୍ବରୀ ବସ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି l କେହି ଦୁର୍ବୃତ୍ତ ଏଠାରେ ଛାଡି ଚମ୍ପଟ ମାରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ, ଖମ୍ବେଶ୍ବରୀ ବସ(ଓଡ଼ି୦୭ଏଇ ୯୧୮୧) ଚାରିଦିନ ଲଗାଣ ବର୍ଷା ଯୋଗୁ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ଥିଲା l ଆଜି ସକାଳେ ସେଠାରେ ଗାଡି ନ ଥିବା ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ବସ ମାଲିକଙ୍କୁ ଖବର ଦେଇଥିଲେ। ଏନେଇ ମାଲିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ବସ ଚୋରି ହୋଇଥିବା ବୈଦନାଥ ପୁର ଥାନାରେ ଅଭିଯୋଗ କରିଥିଲେ l ଅନ୍ୟ ଏକ ଖମ୍ବେଶ୍ବରୀ ବସ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ବସଟି ସୂର୍ଯ୍ୟନାରାୟଣପୁର ରୋଡ଼ ପାର୍ଶରେ ଥିବା ଦେଖି ମାଲିକଙ୍କୁ ଜଣାଇବାପରେ ମାଲିକ କାର ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଗଞ୍ଜାମ ଥାନା ପୋଲିସ ସହାୟତାରେ ବସକୁ ଉଦ୍ଧାର କରିଥିଲେ l ଚାବି ନ ଥିବା ଯୋଗୁ ମେକାନିକ ସାହାର୍ଯ୍ୟରେ ଗାଡି ଷ୍ଟ୍ରାଟ କରିଥିଲେ l ଉକ୍ତ ଗାଡି ଚଳାଉଥିବା ଡ୍ରାଇଭର ଛୁଟିରେ ଥିବା ବେଳେ ସେଠାର ସିସିଟିଭି ଯାଞ୍ଚ କରିବା ପରେ ପ୍ରକୃତ କିଏ ଚୋର ଧରା ପଡିବ ବୋଲି ମାଲିକ ଗଣମାଧ୍ୟମକୁ କହିଛନ୍ତି l ପ୍ରକାଶ ଯୋଗ୍ୟ ଉକ୍ତ ମାଲିକଙ୍କର ୨୦ରୁ ଉର୍ଦ୍ଧ୍ୱ ବସ ଥିବା ଜଣାପଡିଛି l