ଛତ୍ରପୁର,୬ା୨(ଡି.ଏନ୍.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ଉନ୍ନତୀକରଣ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ହସ୍ପିଟାଲର ଉନ୍ନତୀକରଣ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ଏ ନେଇ ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ସନ ପ୍ଲାନ ପ୍ରସ୍ତୁତ ପରେ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପଠାଯିବ।
ହସ୍ପିଟାଲର ଉନ୍ନତୀକରଣ ଲାଗି ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ଏହି ସମ୍ବନ୍ଧୀୟ ଚିଠି ଜିଲାପାଳଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା। ଏହାକୁ ରାଜ୍ୟ ସରକାର ଅନୁମୋଦନ କରିସାରଛନ୍ତି। ଅପରପକ୍ଷରେ ଖଣ୍ଡଦେଉଳୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୯-୨୦ ଆର୍ଥିକ ବର୍ଷରୁ ଚାଲିଥିବା କିଛି ଉନ୍ନତୀମୂଳକ କାର୍ଯ୍ୟ ଏବେ ଅଟକି ରହିଛି। ଏହାକୁ ଚଳିତ ମାସ ଶେଷ ସୁଦ୍ଧା ଶେଷକରିବାକୁ ଜିଲାପାଳ ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।