ଚଢ଼ାଉ ପୂର୍ବରୁ ଖାଦାନ ଶୂନ୍‌ଶାନ୍‌

ଯାଜପୁର ଅଫିସ,୨୨ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ସୀମା ଟପିବାକୁ ବସିଲାଣି। ବିଶେଷକରି ମୂଲ୍ୟବାନ କଳାପଥର ଖାଦାନରୁ ବେଆଇନ ଉତ୍ତୋଳନ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଓ ଦୁର୍ନୀତିଗ୍ରସ୍ତ ଲିଜ୍‌ଧାରୀଙ୍କୁ ପରୋକ୍ଷରେ ଅଧିକାରୀଙ୍କ ସୁରକ୍ଷା ପ୍ରଦାନ ହିଁ ଆହୁରି ଲୁଟ୍‌ କରିବାକୁ ସାହସ ଯୋଗାଉଛି ବୋଲି ମତପ୍ରକାଶ ପାଇଛି। ଧରିତ୍ରୀରେ ‘ଜରିମାନା ଦେବାକୁ ଲୁଟ ଜୋରଦାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଧର୍ମଶାଳା ତହସିଲଦାର, ପୋଲିସ ଏବଂ ଜଙ୍ଗଲ ବିଭାଗର କର୍ମଚାରୀମାନେ ମିଳିତ ଭାବେ ରବିବାର ସକାଳୁ ବିଚ୍ଛାଖଣ୍ଡି ଅଞ୍ଚଳରେ ଚଢ଼ାଉ କରିଛନ୍ତି। କୁସୁନପୁର ନିକଟରେ ୩ଟି ଟ୍ରାକ୍ଟର ଓ ଗୋଟିଏ ଟିପ୍ପର ଜବତ କରାଯାଇଛି। ହେଲେ ଚଢ଼ାଉ ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ପଥର ମାଫିଆମାନେ ସତର୍କ ହୋଇ ଉଠିଥିଲେ। ଏହିକ୍ରମରେ ଲୁଣିବର, ମାଲଗୋଡ଼ା, ବରଡ଼ା, ଆରୁହା ଓ ଅଞ୍ଜିରା ଆଦି ଖାଦାନରୁ ବେଆଇନ ଉତ୍ତୋଳନ ବନ୍ଦ କରାଯାଇ ସେଠାରୁ ହାଇୱା, ଟ୍ରକ ସମେତ ଯନ୍ତ୍ରପାତିକୁ ଉଠାଇ ନେଇଥିଲେ। ଫଳରେ ତହସିଲଦାରଙ୍କ ନେତୃତ୍ୱାଧୀନ ଚଢ଼ାଉକାରୀ ଟିମ୍‌ ଖାଲି ହାତରେ ଫେରି ଆସିଛି। ଉକ୍ତ ଟିମ୍‌ ଫେରିଯିବା ପରେ ପୁଣି ବେଆଇନ ଉତ୍ତୋଳନ କରାଯାଉଛି ବୋଲି ଜଣାପଡ଼ିଛି।
କେବଳ ଯାଜପୁର ନୁହେଁ, ସାରା ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଚାଲିଛି। ୨୦୧୫-୧୬ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌, ବିନା ଟ୍ରାନଜିଟ୍‌ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ପ୍ରାୟ ୨୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଲଘୁ ଖଣିଜ ସମ୍ପଦ କଳାପଥର ଓ ବାଲିରେ ଭରପୂର ଯାଜପୁର ଜିଲାରୁ ଟଙ୍କାଟିଏ ବି ଏଭଳି ଜରିମାନା ଆଦାୟ ହୋଇ ନ ଥିଲା। ୨୦୨୨ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ବିଧାୟକ ନବଚରଣ ମାଝୀ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହାପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଏପ୍ରିଲରୁ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ଆରମ୍ଭ କରି ଏଯାଏ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ଦେବାକୁ ନୋଟିସ ହୋଇଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର କରା ନ ଯାଇ କେବଳ କାରଣ ଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ଏହାବାଦ୍‌ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ କୌଣସି ଏଫ୍‌ଆଇଆର୍‌ ଏଯାଏ ରୁଜୁ ହୋଇନାହିଁ। ଇସି ପ୍ରତ୍ୟାହାର ନୋଟିସ ହେଲେ ଅନୁମୋଦନଠାରୁ ଅଧିକ ଉତ୍ତୋଳନ ପରିମାଣର ୫ ଗୁଣ ଜରିମାନା ଆଦାୟ ନିୟମ ରହିଛି। ତେଣୁ ଜିଲା ପ୍ରଶାସନ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ ଅସାଧୁ ଚୁକ୍ତି ଅନୁଯାୟୀ ଅନୁକମ୍ପା ପ୍ରଦର୍ଶନ କିମ୍ବା ରାଜନୈତିକ ଚାପରୁ ହାତ ଟେକି ଦେଇଥିବା ସନ୍ଦେହ କରାଯାଉଛି। ତେଣୁ ବେଆଇନ ଉତ୍ତୋଳନ ଉପରେ ଯେତେ ଯାହା ଅଭିଯୋଗ କଲେ ବି ରାଜସ୍ବ ବିଭାଗ ନୀରବ ରହିଛି। କେବଳ ନାମକୁ ମାତ୍ର ଚଢ଼ାଉ କରାଯାଇ ସରକାରଙ୍କ ନିକଟରେ ନିର୍ମଳ ଭାବମୂର୍ତ୍ତି ଚିତ୍ର ଅଙ୍କାଯାଉଛି। ତହସିଲଦାର ଅଫିସରୁ ବାହାରିବା ମାତ୍ରେ ବେଆଇନ ଭାବେ ଚାଲିଥିବା ଖାଦାନଗୁଡିକର ମାଲିକମାନଙ୍କୁ ସୂଚନା ଦିଆଯାଉଛି। ଫଳରେ ସେଠାରେ ନିୟୋଜିତ କମ୍ପ୍ରେସର, ହାଇୱା ଆଦି ଗାଡିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇ ଲୁଚାଇ ରଖାଯାଉଛି। ଚଢ଼ାଉ ଟିମ୍‌ ମଧ୍ୟ ଏସବୁ ଜାଣି ଫେରି ଆସୁଛନ୍ତି। ତେଣୁ ସମ୍ପୃକ୍ତ ଲିଜଧାରୀଙ୍କ ଖାଦାନଗୁଡ଼ିକର ପୁନଃ ମାପଚୁପ କରାଯାଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଗଲେ ଏଭଳି ଦୁର୍ନୀତି ନିୟନ୍ତ୍ରଣ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। କଳାପଥର ବେଆଇନ ଉତ୍ତୋଳନ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କୁହନ୍ତି, ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଜରିମାନା ଆଦାୟ ପାଇଁ ଡିମାଣ୍ଡ ନୋଟିସ ହେଉଛି।