Categories: ଖେଳ

ଖାଣ୍ଡକର ଜୁନିୟର ମହିଳା ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ପୂର୍ବତନ ଅଧିନାୟକ ତୁଷାର ଖାଣ୍ଡକରଙ୍କୁ ଜୁନିୟର ମହିଳା ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଏହି ଦଳ ବର୍ତ୍ତମାନ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ସାଣ୍ଟିଆଗୋଠାରେ ଖେଳାଯିବ। ଖାଣ୍ଡକରଙ୍କୁ ହରବିନ୍ଦର ସିଂଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଜାନୁୟାରୀରେ ଏରିକ୍‌ ଓନିଙ୍କ ପଦତ୍ୟାଗ କରି ଚାଲିଯିବା ପରେ ହରବିନ୍ଦରଙ୍କୁ ତାଙ୍କ ସ୍ଥାନରେ ଜଣେ କାମଚଳା କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଥିଲା। ସୂଚନାଯୋଗ୍ୟ, ଉଭୟ ଜୁନିୟର ଓ ସିନିୟର ଦଳ ଦାୟିତ୍ୱରେ ରହିଥିବା ମହିଳା ମୁଖ୍ୟକୋଚ୍‌ ବର୍ତ୍ତମାନ ଏସିଆନ ଗେମ୍ସ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ଖାଣ୍ଡକରଙ୍କୁ ଜୁନିୟର ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି। ଖାଣ୍ଡକର ପୂର୍ବରୁ ୨୦୧୪ ଓ ୨୦୧୬ ମଧ୍ୟରେ ଜଣେ କୋଚ୍‌ ହିସାବରେ ଭାରତୀୟ ପୁରୁଷ ଦଳର ଅଂଶବିଶେଷ ଥିଲେ। ତାଙ୍କ ସମୟରେ ଭାରତୀୟ ଦଳ ଅନେକ ସଫଳତା ହାସଲ କରିଥିଲା। ତନ୍ମଧ୍ୟରେ ଲଣ୍ଡନରେ ଐତିହାସିକ ଚାମ୍ପିୟନ୍ସ ଟ୍ରଫି ୨୦୧୬ରେ ରୌପ୍ୟ, ଏସିଆନ ଚାମ୍ପିୟନଶିପ୍‌ ଟ୍ରଫିରେ ଏକ ସ୍ବର୍ଣ୍ଣ ଏବଂ ରାୟପୁରରେ ବିଶ୍ୱ ହକି ଲିଗ୍‌୨୦୧୫ରେ ଏକ ବ୍ରୋଞ୍ଜ ଅନ୍ୟତମ।

Share