ସୌମ୍ୟ କହିଲେ ଛୋଟ ଘଟଣା, ଲେଖାଶ୍ରୀ ପଚାରିଲେ ବଡ଼ କ’ଣ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବିଜେଡି ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନାବାଳିକା ପରୀ ହତ୍ୟାକାଣ୍ଡକୁ ଏକ ଛୋଟ ଘଟଣା ବୋଲି ମତ ଦେଇଛନ୍ତି। ଏହାକୁ ନେଇ ଭାଜପା ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛି। ନୟାଗଡ଼ ଜିଲାର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିିଛନ୍ତି। ଏହି ପ୍ରସଙ୍ଗରେ ସୌମ୍ୟ କହିଛନ୍ତି, ଏହା ଏକ ଛୋଟିଆ ଘଟଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳର ଦାବିକୁ ସମ୍ମାନ ଜଣାଇ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପାଇଁ ସଙ୍କେତ ଦେଇଛନ୍ତି। ଏସ୍‌ଆଇଟିର ତଦନ୍ତ ପରେ ଦୋଷୀ କିଏ ଜଣାପଡ଼ିଯିବ। ଏତେ ବ୍ୟସ୍ତ ହେଲେ କ’ଣ ହେବ। ଅଭିଯୋଗ ବହୁତ ପ୍ରକାର ହେବ। ସେଥିରେ କାହାର ସମ୍ପୃକ୍ତି ଅଛି, ନ ଅଛି ତଦନ୍ତ ହେଲେ ଜଣାପଡ଼ିବ। ଆଉ ଏହି ଘଟଣାକୁ ଅଧିକ ନ ଘାଣ୍ଟି ବିରୋଧୀ ଦଳ ଗୃହ ଚଳାଇବାରେ ସହଯୋଗ କରିବା ଉଚିତ ବୋଲି ସୌମ୍ୟ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ତେବେ ବଡ଼ ଘଟଣା କ’ଣ ସୌମ୍ୟ ବାବୁ କୁହନ୍ତୁ। ୫ ବର୍ଷର ଏକ ଛୋଟ ଝିଅକୁ ସ୍ପଷ୍ଟ ଦିବାଲୋକରେ ଉଠାଇ ନେଇ ହତ୍ୟା କରିଦେଲେ। ତାକୁ ମାରି ତା’ର ଅଙ୍ଗ ବିକ୍ରି କରାଯାଇଛି। ଉକ୍ତ କୁନି ଝିଅ ସହ ଆଉ କ’ଣ ହୋଇଥିଲେ ବଡ଼ ହୋଇଥାଆନ୍ତା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

Share