ଖାନ୍‌ନଗର: ବାପା-ପୁଅ ପଜିଟିଭ

କଟକ ଅଫିସ,୨୦ା୭-ଖାନ୍‌ନଗର ସାହିରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଏହା ପ୍ରଥମ ଘଟଣା। ଉଭୟ ଆକ୍ରାନ୍ତ ବାପା-ପୁଅ। ଆକ୍ରାନ୍ତ ବାପା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତିବିଶେଷ ଓ ପୂଜା କମିଟିର ଜଣେ ସକ୍ରିୟ ସଦସ୍ୟ। ତାଙ୍କ ପୁଅ କିଛି ଦିନ ତଳେ ଅନୁଗୋଳରୁ ଫେରି ହୋମ କ୍ବାରାଣ୍ଟାଇନରେ ଥିଲେ। ରବିବାର ବାପା-ପୁଅଙ୍କ ସେକ୍ଟର-୭ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଉଭୟ ପଜିଟିଭ୍‌ ଥିବା ସୋମବାର ସନ୍ଧ୍ୟାରେ ଜଣାପଡ଼ିଛି। ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାବ୍‌ ମଙ୍ଗଳବାର ସଂଗ୍ରହ କରାଯିବ। ବର୍ତ୍ତମାନ କୌଣସି କୋଭିଡ୍‌ ହସ୍ପିଟାଲରେ ବେଡ୍‌ ଫାଙ୍କା ନ ଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଅନ୍ୟପକ୍ଷରେ ଆକ୍ରାନ୍ତ ବାପା ସାହିର ଜଣେ ମୁରବି ହୋଇଥିବାରୁ ବହୁ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି। ସେହିପରି ଏସ୍‌ସିବି ଆଇସୋଲେଶନ ୱାର୍ଡରୁ ୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଜିଲାର ୮ ଜଣ। ଅନ୍ୟ ଦୁଇ ଜଣ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର। ପଲମୋନାରୀ ମେଡିସିନ ବିଭାଗ ଆଉଟଡୋର୍‌କୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା। କଟକ କେଶରପୁର ଅଞ୍ଚଳର ଏହି ବ୍ୟକ୍ତି ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି।
ଏହାବ୍ୟତୀତ ସୋମବାର କଟକରୁ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଣିସାହୁ ଛକରୁ ୪, ତନ୍ତିସାହିରୁ ୫, ଶଙ୍କରପୁରରୁ ୫, କନିକାଛକରୁ ୨, କେଶରପୁରରୁ ୧, ପୁରୁଣା ରାଉସାପାଟଣା କଣ୍ଟେନମେଣ୍ଟ ଜୋନରୁ ୨, କାଳିଗଳି, ମାଛୁଆବଜାର, ସାଆନ୍ତସାହି, ହରିପୁର, ଗୋପାଳପୁର, ଭଗତପୁର, ଗଣ୍ଡରପୁର, ନରାଜରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମକୁ ବାଦ୍‌ ଦେଇ ଗ୍ରାମାଞ୍ଚଳରୁ ୫୫ ଜଣ ପଜିଟିଭ୍‌ ବାହାରିଛନ୍ତି। ସେଥିରୁ ବଡ଼ମ୍ବା ଅଞ୍ଚଳରୁ ୨୭, ମାହାଙ୍ଗାରୁ ୨୧, ବେଣ୍ଟକାରରୁ ୩, ନିଶ୍ଚିନ୍ତକୋଇଲିରୁ ୨, କଣ୍ଟାପଡ଼ା ଓ ଆଠଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।