ଆଳି,୧୨ା୮(ଡି.ଏନ୍.ଏ.): ଖରସ୍ରୋତା ନଦୀ ପାଣି ବିବାଦ ଗୁରୁବାର ଉଗ୍ର ରୂପ ନେଇଛି। ଆନ୍ଦୋଳନକାରୀ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଚ୍ୟୁତପୁରଠାରେ ରାସ୍ତାରୋକୋ କରିଛନ୍ତି । ଏଥିସହିତ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ସ୍ଥାନକୁ ଯାଉଥିବା ଗାଡ଼ି ଆଗରେ ଠିଆ ହୋଇରହିଛନ୍ତି।
ସୂଚନାଯୋଗ୍ୟ, ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପକୁ ନିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗତ ୧୦ ତାରିଖରୁ ଆସନ୍ତା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ବାଳକାଟି, ବରୁଣାଡିହା ଓ ଭରିଗଦା ପଞ୍ଚାୟତରେ ୧୪୪ ଧାରା ଜାରି କରି ପୋଲିସ ବଳୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତ ୩ ଦିନ ଧରି କରାଯାଉଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି।