Categories: ଜାତୀୟ

ମୋଦିଙ୍କ ଶପଥ ଉତ୍ସବରେ ଖାର୍ଗେଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୮ା୬: ଆସନ୍ତାକାଲି ଅର୍ଥାତ୍‌ ରବିବାର (ଜୁନ ୯)ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ମଲ୍ଲିକାର୍ଜୁନଙ୍କ ତରଫରୁ ଆସନ୍ତାକାଲି ସେ ଏହି ନିମନ୍ତ୍ରଣ ଉପରେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଶୁକ୍ରବାର ଏନ୍‌ଡିଏ ସଂସଦୀୟ ଦଳ ବୈଠକ ବସି ମୋଦିଙ୍କୁ ନେତାଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ କରାଯାଇଥିଲା। ଏହା ପରେ ସେ ରାଷ୍ଟ୍ରପତି ଭବନ ଯାଇ ସରକାର ଗଠନ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାବି ଜଣାଇଥିଲେ। ରାଷ୍ଟ୍ରପତି ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ରବିବାର ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ରବିବାର ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସମେତ ୭ ପଡୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ତେବେ ପାକିସ୍ତାନ ଏବଂ ପାକିସ୍ତାନ ନେତାଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ। ଇତିମଧ୍ୟରେ ହାସିନା ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଆଫିଫ୍‌ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ବାହାର ନେତାଙ୍କ ସମେତ ଦେଶର ଶାସକ ଦଳର ବହୁ ନେତା ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍ସବରେ ଉପସ୍ଥିତ ରହିବେ। ତେବେ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍‌ର ନେତାମାନଙ୍କୁ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। କଂଗ୍ରେସ ନେତାମାନେ ନିମନ୍ତ୍ରଣ ପାଇଲେ ଉତ୍ସବରେ ଯୋଗଦେବା ନେଇ ବିଚାର କରିବେ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାରେ ଅର୍ଦ୍ଧସାମରିକ ବାହିନୀ, ଏନ୍‌ଏସ୍‌ଜି, ଡ୍ରୋନ୍‌ ଏବଂ ସ୍ନିପରଙ୍କୁ ନିୟୋଜିତ କରାଯିବା ସହ ଅତିଥିମାନଙ୍କୁ ଉତ୍ସବ ସ୍ଥଳକୁ ଆଣିବା ଲାଗି ସ୍ବତନ୍ତ୍ର ରୁଟ୍‌ ଓ ସୁରକ୍ଷା ବ୍ୟବସ୍ଥା ହୋଇଛି।

Share