Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଖାର୍ଗେଙ୍କ ୬ ପ୍ରସ୍ତାବ

ନୂଆଦିଲ୍ଲୀ, ୧୦।୫: କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୬ଟି ପ୍ରସ୍ତାବ ଦେଇଛନ୍ତି। ମହାମାରୀ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଲାଣି। ଚିକିତ୍ସା ପାଇଁ ଲୋକେ ସେମାନଙ୍କ ଜମି, ଗହଣା ବିକ୍ରି କରିଦେବା ସହ ଜୀବନ ସାରା ସଞ୍ଚତ୍ଥିବା ଧନକୁ ଖର୍ଚ୍ଚ କରିଦେଉଛନ୍ତି। କେନ୍ଦ୍ର ସରକାର ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇଥିବାବେଳେ ମହାମାରୀ ମୁକାବିଲାରେ ସିଭିଲ୍‌ ସୋସାଇଟି ଏବଂ ନାଗରିକ ଗୋଷ୍ଠୀ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସାମୂହିକ ତଥା ସହମତି ଆଧାରିତ ଦୃଷ୍ଟିଭଙ୍ଗୀ ଆପଣାଇବା ପାଇଁ ରାଜ୍ୟ ସଭାର ବିରୋଧୀ ଦଳ ନେତା ଆହ୍ବାନ ଦେଇଛନ୍ତି। ମହାମାରୀର ମୁକାବିଲା ପାଇଁ ମିଳିତ ଭାବେ ଯୋଜନା ରୂପରେଖ ପ୍ରସ୍ତୁତ ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। କୋଭିଡ୍‌ ଟିକାକରଣ ଲାଗି ବଜେଟରେ ୩୫,୦୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସମସ୍ତେ ଯେପରି ଟିକା ନେବେ ତାହା ସୁନିଶ୍ଚିତ କରାଯାଉ। ସେହିପରି ଟିକା ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା ଉଠାଇଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣ, ଟିକା ଉପରୁ କେନ୍ଦ୍ର ଟିକସ ଛାଡ଼ କରୁ। ବିଦେଶରୁ ଆସୁଥିବା ସହାୟତା ସାମଗ୍ରୀର ଉପଯୁକ୍ତ ବଣ୍ଟନ କରିବା ସହ ଏମ୍‌ଜିଏନ୍‌ଆର୍‌ଇଜିଏରେ ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ କାର୍ଯ୍ୟଦିବସ ଓ ସର୍ବନିମ୍ନ ମଜୁରି ବୃଦ୍ଧି କରିବା ପାଇଁ କଂଗ୍ରେସ ନେତା ପରାମର୍ଶ ଦେଇଛନ୍ତି।

Share