ନୂଆଦିଲ୍ଲୀ, ୨୩ା୫: ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନ କରି କେନ୍ଦ୍ର ସରକାର କ୍ରମାଗତ ଭାବେ ସେମାନଙ୍କ ମର୍ଯ୍ୟାଦା ହାନି କରୁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଅଭିଯୋଗ କରିଛନ୍ତି। ଭାଜପା-ଆର୍ଏସ୍ଏସ୍ ସରକାରରେ ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ପ୍ରତୀକବାଦକୁ ହ୍ରାସ ପାଇଥିବା ଖାର୍ଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୮ ତାରିଖରେ ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନ କରିବେ। ଏହି ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ପାର୍ଲାମେଣ୍ଟ ଭବନ ଶିଳାନ୍ୟାସ ଉତ୍ସବକୁ ମଧ୍ୟ ରାମନାଥଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ପାର୍ଲାମେଣ୍ଟ ଦେଶର ସର୍ବୋଚ୍ଚ ବ୍ୟବସ୍ଥାପିକା ସଂସ୍ଥା ହୋଇଥିବାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ସାମ୍ବିଧାନିକ କର୍ତ୍ତୃପକ୍ଷ। ସେ ସରକାର, ବିରୋଧୀ ଏବଂ ପ୍ରତ୍ୟେକ ନାଗରିକଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ଦ୍ୱାରା ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନ କରାଗଲେ ସରକାରଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଔଚିତ୍ୟ ପ୍ରତିଶ୍ରୁତି ପ୍ରତିଫଳିତ ହେବ ବୋଲି ଖାର୍ଗେ କହିଛନ୍ତି।