ଖରିଫ୍‌ ଧାନକିଣା ପଞ୍ଜୀକରଣ ଆରମ୍ଭ

ଭଦ୍ରକ,୨୧।୭(ସନାତନ ରାଉତ): ଭଦ୍ରକ ଜିଲାରେ ୨୦୨୩-୨୪ ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୬ ପଞ୍ଜୀକରଣର ଶେଷ ତାରିଖ ରଖାଯାଇଛି। ଜିଲାରେ ୯୭ଟି ପାକ୍ସ ଓ ୫୪ ମହିଳା ଗୋଷ୍ଠୀ ଜରିଆରେ ପଞ୍ଜୀକରଣ କରାଯାଉଛି। ଚାଷୀଙ୍କ ଦ୍ୱାରା ଦାଖଲ ଫର୍ମଗୁଡ଼ିକ ଭେରିଫିକେଶନ ପରେ ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସରକାରଙ୍କ ପକ୍ଷରୁ ୩ ପର୍ଯ୍ୟାୟରେ ଚାଷ ଜମିର ସାଟେଲାଇଟ ସର୍ବେକ୍ଷଣ କରାଯିବ। ତଳିପକା ଓ ତଳିରୁଆ ସମୟରେ ପ୍ରଥମ, ଧାନ ପାଚିବା ସମୟରେ ଦ୍ୱିତୀୟ ଓ ଅମଳ ସମୟରେ ତୃତୀୟ ସର୍ବେକ୍ଷଣ କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି।

ପଞ୍ଜୀକରଣକୁ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରକୃତ ଚାଷ ହୋଇଥିବା ଜମି, ନିର୍ଭୁଲ ପରିଚୟପତ୍ର, ବ୍ୟାଙ୍କ ପାଶ୍‌ବୁକ, ଜମି ରେକର୍ଡ ଦାଖଲ କରିବାକୁ କୁହାଯାଇଛି। ପ୍ରକାଶଯୋଗ୍ୟ, ଗତବର୍ଷ ଜିଲାରେ ୮୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ବହୁ ପ୍ଲଟ୍‌ର ଜାଲ ପଞ୍ଜୀକରଣ ହୋଇଥିଲା। ସର୍ବେକ୍ଷଣ କରାଯାଇ ଜାଲ ପ୍ଲଟ୍‌କୁ ରଦ୍ଦ କରିବା ପରେ ୬୦ ହଜାରକୁ ଖସି ଆସିଥିଲା। ଜିଲାର ୭ ବ୍ଲକ ଅଧୀନ ୧,୩୭୪ ଗ୍ରାମର ମୋଟ ୧୩ ଲକ୍ଷ ୩୩ ହଜାର ୪୭୩ ପ୍ଲଟରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share