ଆଳି,୧୦।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନସ୍ଥଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପ୍ରଶାସନର ସିଆରପିସି ଧାରା ୧୪୪କୁ ଅମାନ୍ୟ କରି ଆନ୍ଦୋଳନକାରୀ ମେଗା ପାନୀୟ ଜଳ ପ୍ରକଳ୍ପର ପାଣିଉଠା ସ୍ଥାନକୁ ଯାଉଥିବା ବେଳେ ଜିଲା ପୋଲିସ କଂଗ୍ରେସ ନେତା ଦେବେନ୍ଦ୍ର ନାଥ ଶର୍ମା, ଭାଜପା ନେତା ଦୋଳଗୋବିନ୍ଦ ନାୟକ, ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତା ବିଧାନ ଦାସଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଗିରଫ କରିଛି।
ସୂଚନାଯୋଗ୍ୟ, ଖରସ୍ରୋତା ନଦୀରୁ ପାଣି ଉଠାଇ ଭଦ୍ରକ ଜିଲାର ୯୧ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ପ୍ରକଳ୍ପ ନିର୍ମାଣ ହେଉଛି । ଏହାକୁ ସ୍ଥାନୀୟ ଆଳି ଓ ରାଜକନିକାବାସୀ ଗତ ୨୦୧୯ରୁ ପ୍ରବଳ ବିରୋଧ କରି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭୋର ୪ଟାଠାରୁ ଆସନ୍ତା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।