Categories: ଜାତୀୟ

ଆସ୍ଥା ଜିତିଲେ ଖଟ୍ଟାର ସରକାର

ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍‌ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡ଼ିଥିବାବେଳେ ବିରୋଧରେ ୫୫ ଜଣ ଭୋଟ ଦେଇଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୨ଟି ଆସନ ଖାଲିଥିବାରୁ ମୋଟ ବିଧାୟକ ସଂଖ୍ୟା ୮୮ ରହିଛି। ଭାଜପାର ୪୦ ସଦସ୍ୟ ଥିବାବେଳେ ସହଯୋଗୀ ଜେଜେପିର ୧୦ ବିଧାୟକ ରହିଛନ୍ତି। ଏହା ବ୍ୟତୀତ ୫ ଜଣ ସ୍ବାଧୀନ ବିଧାୟକ ଖଟ୍ଟାର ସରକାରଙ୍କୁ ସମର୍ଥନ ଦେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଦାବି କରି କଂଗ୍ରେସ ଖଟ୍ଟାର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣିଥିଲା। ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ନେଇ ମେଣ୍ଟ ସରକାରର ସହଯୋଗୀ ଦଳ ସୂଚନା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଅଭିଯୋଗ କରିଥିଲେ। ପ୍ରକୃତରେ ଉକ୍ତ ସ୍ବାଧୀନ ବିଧାୟକ କାହା ସହିତ ରହିଛନ୍ତି, ତାହା ସ୍ପଷ୍ଟ କରିବା ଲାଗି ଅନାସ୍ଥା ପ୍ରସ୍ତାବ ଅଣାଯାଇଥିବା ସେ କହିଥିଲେ। ସରକାରଙ୍କ ପ୍ରତି କୌଣସି ବିପଦ ନାହଁ। ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ନିଶ୍ଚିତ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଖଟ୍ଟାର କହିଥିଲେ। ସରକାରଙ୍କ ବିରୋଧରେ କହୁଥିବା ଜେଜେପିର ଦୁଇ ବିଧାୟକ ରାମକୁମାର ଗୌତମ, ଦେବେନ୍ଦର ବବ୍‌ଲି ଏବଂ ସ୍ବାଧୀନ ବିଧାୟକ ଗୋପାଳ କାଣ୍ଡା ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ।

Share