ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବ ଖେଳରତ୍ନ ପୁରସ୍କାର: ମୋଦି

ନୂଆଦିଲ୍ଲୀ,୬।୮: ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଘୋଷଣା କରିଛନ୍ତି। ନୂତନ ଘୋଷଣା ପରେ ଏହି ପୁରସ୍କାରକୁ ଏବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କୁହାଯିବ। ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର ବୋଲି କୁହାଯାଏ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଲେଖିଛନ୍ତି, ମେଜର ଧ୍ୟାନଚାନ୍ଦ ଭାରତର ଜଣେ ପ୍ରମୁଖ କ୍ରୀଡ଼ାବିତ୍‌, ଯିଏ ଭାରତକୁ ସମ୍ମାନ ଓ ଗୌରବ ଆଣିଦେଇଥିଲେ। ତେଣୁ ସମୟ ଆସିଛି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ତାଙ୍କୁ ଉତ୍ସର୍ଗୀତ କରିବାକୁ। ଦୀର୍ଘ ଦିନ ଧରି ନାଗରିକମାନେ ଏହି ପରିବର୍ତ୍ତନ ଦାବି କରିଆସୁଥିଲେ। ତେବେ ଦେଶବାସୀଙ୍କ ଭାବନାକୁ ବିଚାରକୁ ନେବା ସହ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପଦକ ଜିତିବା ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ଏହା ପ୍ରଥମ ଥର ପାଇଁ ହକି ଦଳ ପୋଡିୟମ ଶେଷ କରିବାରେ ସଫଳ ହୋଇଥିଲା। ଅନ୍ୟପଟେ ଏହି ନିଷ୍ପତ୍ତି ପରେ ମେଜର ଧ୍ୟାନଚାନ୍ଦଙ୍କ ପୁଅ ତଥା ପୂର୍ବତନ ହକି ଖେଳାଳି ଅଶୋକ ଧ୍ୟାନଚାନ୍ଦ ଖୁସିବ୍ୟକ୍ତ କରିବା ସହ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୯୧-୯୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଗତ ୪ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତର କ୍ରୀଡ଼ାବିତ୍‌ମାନଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଧୀନରେ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର, ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।

 

 

 

 

Share