Categories: ଖେଳ

କଳିଙ୍ଗରେ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଶନିବାରଠାରୁ ଖେଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ ରାଉଣ୍ଡ-୨ ଆରମ୍ଭ ହେବ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୫ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ ହେବ। ଦୁଇଦିନ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୬୪ ମହିଳା ସନ୍ତରଣକାରୀ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ୩୦ ବୈଷୟିକ ଅଧିକାରୀ ଏବଂ ୧୫ ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ରହିବେ। ୧୫ ଓ ୧୮ ବର୍ଷରୁ କମ୍‌ ବର୍ଗରେ ୮ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଏବଂ ଓଡ଼ିଶା ରାଜ୍ୟ ସୁଇମିଂ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ହେବ।
ଇଭେଣ୍ଟଗୁଡ଼ିକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ପ୍ରାଇଜ୍‌ ମନି ଇଭେଣ୍ଟ। ଏଥିରେ ପ୍ରଥମରୁ ୫ମ ସ୍ଥାନ ହାସଲ କରିବା ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଅନ୍ୟଟି ହେଲା ଡେଭ୍‌ଲପ୍‌ମେଣ୍ଟାଲ ଇଭେଣ୍ଟ। ଏଥିରେ ପ୍ରଥମ ୧୦ ସ୍ଥାନ ଫିନିଶ୍‌ କରିବା ପ୍ରତିଯୋଗୀଙ୍କୁ ର଼୍ୟାଙ୍କିଙ୍ଗ ରିବନ ପ୍ରଦାନ କରାଯିବ। ପ୍ରାଇଜ୍‌ମନି ଇଭେଣ୍ଟଗୁଡ଼ିକ ମଧ୍ୟରେ ସମସ୍ତ ବୟସ ବର୍ଗ ପାଇଁ ୨୦୦ ମିଟର ଫ୍ରିଷ୍ଟାଇଲ, ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୧୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌, ୧୦୦ ମିଟର ବଟରଫ୍ଲାଏ ଏବଂ ମିଡ୍‌ଲେ ରିଲେ ଇଭେଣ୍ଟ ଅନ୍ତର୍ଭୁକ୍ତ। ସେହିପରି ସମସ୍ତ ବୟସବର୍ଗ ପାଇଁ ୫୦ କିକ୍‌-୫୦ ପୁଲ୍‌ ଫ୍ରି ଏବଂ ୫୦ କିକ୍‌-୫୦ ପୁଲ୍‌ ବ୍ରେଷ୍ଟ ଡେଭଲପ୍‌ମେଣ୍ଟାଲ ଇଭେଣ୍ଟରେ ସାମିଲ ରହିବ। ଭାରତରେ କ୍ରୀଡ଼ା ସଂସ୍କୃତିକୁ ପୁନର୍ଜୀବିତ କରିବା ପାଇଁ ଖେଲୋ ଇଣ୍ଡିଆ ଗେମ୍ସ ଆରମ୍ଭ ହୋଇଥିଲା। ଦେଶକୁ ଏକ କ୍ରୀଡ଼ାଶକ୍ତିରେ ପରିଣତ କରିବା ଏହାର ଉଦ୍ଦେଶ୍ୟ।

Share