ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ

ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ତରପ୍ରଦେଶ ୨୦୨୨’ର ଅଫିସିଆଲ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗଦେଇଥିଲେ। ଲୋଗୋ ସାଙ୍ଗକୁ ମାସ୍କଟ, ମଶାଲ, ସଙ୍ଗୀତ ଏବଂ ଜର୍ସି ଉନ୍ମୋଚନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଖେଲୋ ଇଣ୍ଡିଆ ଆଜି ଏକ ବିପ୍ଳବରେ ପରିଣତ ହୋଇଛି। ଏହା ଜରିଆରେ କ୍ରୀଡ଼ାର ମାନ ବଢ଼ିବା ସହ ଖେଳ ପ୍ରତି ଆଥଲେଟ୍‌ମାନଙ୍କ ଆଗ୍ରହ ମଧ୍ୟ ବୃଦ୍ଧିପାଇଛି। ୟୁପିରେ ଖେଲୋ ଇଣ୍ଡିଆ ସର୍ବଶ୍ରେଷ୍ଠ ହେବ ବୋଲି ସେ ଆଶାବାଦୀ ଥିବା ଅନୁରାଗ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାଜ୍ୟରେ ଏବେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କ୍ରମାଗତ ବଢ଼ୁଥିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସହରରେ ମେ ୨୫ରୁ ଜୁନ୍‌ ୩ ପର୍ଯ୍ୟନ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଖେଲୋ ଇଣ୍ଡିଆ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ୟୁପି କ୍ରୀଡ଼ାମନ୍ତ୍ରୀ ଗିରୀଶ ଚନ୍ଦ୍ର ଯାଦବ, ପରିବହନମନ୍ତ୍ରୀ ଦୟା ଶଙ୍କର ସିଂ, କ୍ରୀଡା ଓ ଯୁବ ବ୍ୟାପାର ଅତିରିକ୍ତ ସଚିବ ନବନୀତ ସେହଗଲ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଉପମହାନିର୍ଦ୍ଦେଶକ ଏକତା ବିଷ୍ଣୋଇ, ଏଆଇୟୁ ମହାସଚିବ ଡା.ପଙ୍କଜ ମିତ୍ତଲ ଏବଂ ସାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ସାରସ୍ବତ ପ୍ରମୁଖ ଉପସ୍ଥିତଥିଲେ।

Share