ଦିଗପହଣ୍ଡି,୧୦।୩(ଅଶେଷ ନାଥ ମିଶ୍ର): ମାର୍ଚ୍ଚ ୨୯ ତାରିଖ ଦିନ ହେବାକୁ ଥିବା ଆଇନଜୀବୀଙ୍କ ନିର୍ବାଚନକୁ ନେଇ ସମଗ୍ର ଓଡ଼ିଶାରେ ଉଷ୍ମତା ଲାଗିରହିଛି। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ପଦବୀ ପାଇଁ ୩ ଆଶାୟୀଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂ ରଦ୍ଦ କରିବା ସହ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ କଡା ଆଭିମୁଖ୍ୟ ଯୋଗୁ ଯାଞ୍ଚ ସମୟରେ ସଂଘର ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା କୁରେଶୁ ପଣ୍ଡା, ହରପ୍ରସାଦ ରଥ ଏବଂ ଗଜାନନ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ ହୋଇଛି। ଏହି ପଦବୀ ପାଇଁ ସଂଘର ୩ ସଦସ୍ୟ ପୂର୍ବରୁ ନିର୍ଦ୍ଧାରିତ ଦିବସରେ ନାମାଙ୍କନ ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀ ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ଓକିଲାତି ଅଭିଜ୍ଞତା ଉପରେ ପ୍ରଶ୍ନ ଉଠାଇଥିଲେ। ଗତ ୨୦୨୨ରେ ଖେମୁଣ୍ଡି ଓକିଲ ସଂଘର ନିର୍ଦ୍ଧାରଣ ପ୍ରକାରେ ସଭାପତି ପଦବୀ ପାଇଁ ୨୫ ବର୍ଷରୁ ଉଦ୍ଧର୍ବ ଅଭିଜ୍ଞତା ଆବଶ୍ୟକ ଥିବାବେଳେ ନାମାଙ୍କନ ଦାଖଲ କରିଥିବା ୩ ପ୍ରାର୍ଥୀଙ୍କ ଓକିଲାତି ଅଭିଜ୍ଞତା ୨୫ ବର୍ଷ ପୂରିନଥିବା କାରଣରୁ ନାମାଙ୍କନଗୁଡିକୁ ନାକଚ କରି ଦେଇଥିଲେ। ସେ ତାଙ୍କ ନିଷ୍ପତ୍ତିକୁ ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇଦେଇ ଖାଲି ପଡିଥିବା ସଭାପତି ପଦବୀ କିଭଳି ପୂରଣ କରାଯିବ ସେଥିନେଇ ମତାମତ ଲୋଡିଥିବା ଜଣାପଡିଛି। ତେବେ ଅନ୍ୟ ପଦପଦବୀ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ର ଗୁଡିକୁ ସେ କାଏମ ରଖିଛନ୍ତି। ବର୍ତ୍ତମାନ ଆଇନଜୀବୀ ପରିଷଦର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।