ରୁଷିଆ କବ୍‌ଜାରେ ଖେର୍‌ସନ୍‌

କ୍ୱିଭ୍‌, ୧୬।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ରାଜଧାନୀ କ୍ୱିଭ୍‌କୁ ଅକ୍ତିଆର କରିବାକୁ ରୁଷିଆ ସୈନ୍ୟ ଜୋର୍‌ଦାର ଉଦ୍ୟମ କରି ସବୁ ପ୍ରକାର ପ୍ରତିଷ୍ଠାନ ତଥା ରେସିଡେନ୍ସିଆଲ ବିଲ୍ଡିଂକୁ ଟାର୍ଗେଟ କରୁଛନ୍ତି। ସେଠାରେ ୩୫ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ତେବେ କ୍ୱିଭ୍‌ ପୂର୍ବରୁ ୟୁକ୍ରେନ୍‌ର ଖେର୍‌ସନ ସହରକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରି ନେଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମେଜର ଜେନେରାଲ ଆଇଗର କୋନାଶେଙ୍କଭୋ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରୁଷିଆ ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନ୍‌ର ୧୬ ଯୁଦ୍ଧବିମାନ ସହ ୧୩ ଡ୍ରୋନ୍‌କୁ ନଷ୍ଟ କରିଛି। ସେଥିମଧ୍ୟରେ ସୁଖୋଇ ବିମାନ ଏସ୍‌ୟୁ-୨୪, ଏସ୍‌ୟୁ-୨୫ ଏବଂ ଏମ୍‌ଆଇ-୮ ହେଲିକପ୍ଟର ରହିଛି। କ୍ରାମାଟୋର୍‌ସ୍କ ନିକଟରେ ଥିବା ୟୁକ୍ରେନ୍‌ ଏୟାରବେସ୍‌କୁ ମଧ୍ୟ ନଷ୍ଟ କରାଯାଇଥିବା କୋନୋଶେଙ୍କୋଭ୍‌ କହିଛନ୍ତି।
ଆକ୍ରମଣକୁ ବନ୍ଦ କରିବା ପାଇଁ ୟୁକ୍ରେନ୍‌ରେ ନାଟୋ ପକ୍ଷରୁ ନୋ-ଫ୍ଲାଏ ଜୋନ୍‌ ଲାଗୁ କରାଯାଉ ନ ଥିବାରୁ ନିରାଶ ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି। ବ୍ରିଟେନ, ଡେନ୍‌ମାର୍କ, ଏଷ୍ଟୋନିଆ, ଫିନ୍‌ଲାଣ୍ଡ ସମେତ ୟୁରୋପିଆନ୍‌ ଲିଡରଙ୍କ ସହ ଜଏଣ୍ଟ ଏକ୍ସପେଡିସନାରି ଫୋର୍ସ ଲଣ୍ଡନ-୨୦୨୨ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ ଜେଲେନ୍‌ସ୍କି କହିଛନ୍ତି, ବିଶ୍ୱର ସବୁଠାରୁ ସାମରିକ ମେଣ୍ଟ ହେବା ସତ୍ତ୍ୱେ ୟୁକ୍ରେନ୍‌କୁ ରୁଷିଆ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ଏ ପର୍ଯ୍ୟନ୍ତ ସେଠାରେ ନୋ-ଫ୍ଲା ଜୋନ୍‌ ଲାଗୁ କରୁନାହିଁ। ନାଟୋର କେତେ ସଦସ୍ୟ ରାଷ୍ଟ୍ର ରୁଷିଆର ଆକ୍ରମଣାତ୍ମକ କାର୍ଯ୍ୟରେ ଭୟଭୀତ ହୋଇଛନ୍ତି। ନାଟୋ ୟୁକ୍ରେନ୍‌ରେ ନୋ-ଫ୍ଲାଏ ଜୋନ୍‌ ଘୋଷଣା କଲେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଅନେକେ କହୁଥିବାର ଶୁଣିବାକୁ ମିଳୁଛି। ଏହା ରୁଷିଆକୁ ସାହସ ଦେଉଛି ଏବଂ ମସ୍କୋର ସୈନ୍ୟ ଶାନ୍ତିପୂର୍ଣ୍ଣ ସହର, ହସ୍ପିଟାଲ, ସ୍କୁଲ, ଲୋକଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ଦିନକରେ କ୍ୱିଭ୍‌ରେ ୪ ବହୁତଳ ପ୍ରାସାଦ ବିଶିଷ୍ଠ ବାସଯୋଗ୍ୟ କୋଠାକୁ ଧ୍ୱଂସ କରାଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏ ସବୁକୁ ଦେଖି ପାଶ୍ଚାତ୍ୟ ଦେଶଗୁଡ଼ିକ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି।

Share