Categories: ଜାତୀୟ

୯ ଦିନ ହେଲା ଟନେଲରେ ଫସିଛନ୍ତି ଶ୍ରମିକ: ୬ ଇଞ୍ଚିଆ ପାଇପରେ ପଠାହେଲା ଖେଚୁଡ଼ି

ନୂଆଦିଲ୍ଲୀ, ୨୦ା୧୧: ଉତ୍ତରାଖଣ୍ଡରେ ଗତ ୯ ଦିନ ହେଲା ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ପୂର୍ବରୁ ପାଇପ ଯୋଗେ ୪୧ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣି ଦିଆଯାଉଥିବା ବେଳେ ସୋମବାର ସେମାନଙ୍କ ନିକଟକୁ ଯୋଡ଼ି ହୋଇଛି ଏକ ୬ ଇଞ୍ଚିଆ ପାଇପ। ଏହି ପାଇପ ସାହାଯ୍ୟରେ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଉଥିବା ବେଳେ ୯ ଦିନ ପରେ ପ୍ରଥମ ଥର ପାଇଁ ସେମାନଙ୍କୁ ରନ୍ଧା ଖାଦ୍ୟ ଭାବେ ଖେଚୁଡ଼ି ଦିଆଯାଇଛି।

ଏକ ବିକଳ୍ପ ଛଅ ଇଞ୍ଚ ଲାଇଫ୍ ଲାଇନ୍ ପାଇପ୍ ସିଲ୍କିରା ଟନେଲରେ ପହଞ୍ଚିବାର କିଛି ଘଣ୍ଟା ପରେ ଉଦ୍ଧାରକାରୀମାନେ ସିଲିଣ୍ଡ୍ରିକ୍ ବୋତଲରେ ଖେଚୁଡ଼ି ଭର୍ତି କରି ଶ୍ରମିକଙ୍କ ନିକଟକୁ ପଠାଉଛନ୍ତି। ଶ୍ରମିକମାନଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କରିଥିବା ରୋଷେୟା ହେମନ୍ତ କହିଛନ୍ତି ଯେ ଶ୍ରମିକମାନଙ୍କୁ ଏହା ପ୍ରଥମ ଥର ପାଇଁ ଗରମ ଖାଦ୍ୟ ପଠାଯାଉଛି।

ନଭେମ୍ବର ୧୨ ତାରିଖରେ ଅର୍ଦ୍ଧନିର୍ମିତ ସିଲ୍କିରା ଟନେଲ ଭୁଶୁଡି ପଡିବା ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ୪୧ ଶ୍ରମିକ ସେଥିରେ ଫସି ରହିଥିଲେ। ସେବେଠାରୁ ଦୀର୍ଘ ୯ ଦିନ ହେବ ବିଭିନ୍ନ ଉପାୟରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରି ନାହିଁ।

Share