କର୍ଲାମୁଣ୍ଡା,୧୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗଜବାହାଲ ଗ୍ରାମର କାର୍ତ୍ତିକ ସେଠ୍ଙ୍କ ପୁଅ କ୍ଷୀରମଣିଙ୍କ ମୃତଦେହ ସେହି ଗ୍ରାମର ଇନ୍ଦିରା କଲୋନୀପଡ଼ାର ଏକ ଇଟାଭାଟି ନିକଟରେ ପଡ଼ିଥିଲା। ମୃତଦେହକୁ ଗତ ୯ ତାରିଖରେ ପୋଲିସ ଜବତ କରିଥିବା ବେଳେ ମୃତକଙ୍କ ସ୍ତ୍ରୀ ସୁବାସିନୀ ତାଙ୍କ ସ୍ବାମୀକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ପରିବାରକୁ ଦାୟୀ କରିଥିଲେ। ଏହି ଘଟଣାର ତଦନ୍ତକାରୀ ଅଫିସର ତଥା ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଗୁରୁତର ସହ ନେଇ ତଦନ୍ତ ଚଳାଇ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ଦିରା କଲୋନୀପଡ଼ାର ବାବୁଲାଲ ବିଭାର(୫୫), ତାଙ୍କ ଝିଅ ନଳିନୀ ବିଭାର ଓ ଜ୍ୱାଇଁ ଡୁଲେଶ୍ୱର ବେସ୍ରା ବୋଲି ଜଣାପଡ଼ିଛି। ମୃତକ କ୍ଷୀରମଣିଙ୍କ ସହ ନଳିନୀଙ୍କର ଅନୈତିକ ସମ୍ପର୍କ ରହିଥିଲା। ନଳିନୀ ବିବାହିତା ହୋଇଥିଲେ ମଧ୍ୟ ସ୍ବାମୀଙ୍କ ସହ ମତାନ୍ତର ହୋଇ ବାପଘରେ ରହୁଥିଲେ। ଘଟଣା ଦିନ ଏ ଦୁଇଜଣ ଅସଂଯତ ଅବସ୍ଥାରେ ଥିବା ଦେଖି ନଳିନୀଙ୍କ ବାପା ବାବୁଲାଲ କ୍ଷୀରମଣିଙ୍କୁ ହତ୍ୟା କରିଥିଲେ। ତେବେ କ୍ଷୀରମଣିଙ୍କ ମୃତ୍ୟୁ ପରେ ମୃତଦେହକୁ ଘରେ ଲୁଚାଇ ରଖି ରାତିରେ ବାହାରେ ଫିଙ୍ଗିଥିଲେ। ଏଥିରେ ନଳିନୀ ଏବଂ ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଡୁଳେଶ୍ୱର ସହଯୋଗ କରିଥିଲେ। ତେଣୁ ହତ୍ୟାକାରୀ ବାବୁଲାଲଙ୍କ ସହ ସହଯୋଗୀ ନଳିନୀ ଓ ଡୁଲେଶ୍ୱରକୁ ପୋଲିସ ଗିରଫ କରିବା ପରେ ଶନିବାର କୋର୍ଟ ଚାଲାଣ କରିଛି। ଏହି ତଦନ୍ତରେ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝି ସହଯୋଗ କରିଥିଲେ।