Categories: ମେଟ୍ରୋ

ଖୋଳାପୋତାରେ ଖିନ୍‌ଭିନ୍‌ ଭୁବନେଶ୍ୱର

ଭୁବନେଶ୍ୱର, ୧୮ା୬(ଅଭିଜିତ ଦାସ) ବିକାଶ ଓ ଉନ୍ନୟନ କାମ ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଣିଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସହରର ବିକାଶଧାରା ‘ଗୋଦରା କୋଡେ ଯେତେ ମାଡେ ସେତେ ସଦୃଶ’ ହୋଇଛି। ଯିଏ ଯେଉଁଠି ଯେମିତି ପାରୁଛି ଖୋଳିତାଡ଼ି ପକାଉଛି। ଗୋଟିଏ ବିଭାଗ କାମ ସାରିବା ପରେ ଅନ୍ୟ ବିଭାଗ ନିଜ କାମ ପାଇଁ ତାହାକୁ ତାଡ଼ି ଦେଉଛି। ଏମିତି ବର୍ଷ ବର୍ଷ ଧରି ସହରରେ ଖୋଳାପୋତା ଭିତରେ ସ୍ମାର୍ଟସିଟି ଖିନ୍‌ଭିନ୍‌ ହୋଇଯାଉଥିବାବେଳେ ସହରବାସୀ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଧୀରେ ଧୀରେ ସ୍ଥିତି ଏପରି ହୋଇଛି ସହର ଖାଲଖମାରେ ଭର୍ତ୍ତି ହୋଇଯାଉଛି। ପ୍ରଥମେ ଡ୍ରେନ୍‌, ସ୍ବେରେଜ ଲାଇନ୍‌ ପାଇଁ ମୁଖ୍ୟ ରାସ୍ତାଠାରୁ କଲୋନୀ ପର୍ଯନ୍ତ ଖୋଳାପୋତା କାମ ଚାଲିଥିଲା। ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବ୍‌ଲିଂ ଓ ଗ୍ୟାସ୍‌ ଲାଇନ୍‌ କାମ ପାଇଁ ଲୋକଙ୍କୁ ଦହଗଞ୍ଜ କରୁଛି। ମନଇଚ୍ଛା ରାସ୍ତାକୁ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ମାସ ମାସ ଧରି ଲୋକଙ୍କ ଯାତାୟାତ ବନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ମୌସୁମୀ ଆସୁଥିବାରୁ ଏବେ ଚିନ୍ତାରେ ସହରବାସୀ।
ସ୍ମାର୍ଟସିଟି ଯୋଜନାରେ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍‌ ବିଦ୍ୟୁତ୍‌ କେବୁଲ ଯୋଜନା ଆରମ୍ଭ କରାଯାଇଥିଲା। ପରେ ମାଟି ତଳେ ଗ୍ୟାସ୍‌ ପାଇପ୍‌ ଲାଇନ ପ୍ରକଳ୍ପ ଓ ୨୦୧୮ରେ ଅଣ୍ଡରଗ୍ରାଉଣ୍ଡ୍‌ ଇଣ୍ଟରନେଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏ ସମସ୍ତ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ଘରୋଇ କମ୍ପାନୀ ଓ ଠିଦାକାରଙ୍କୁ ଦିଆଯାଇଛି। ମନଇଚ୍ଛା କାର୍ଯ୍ୟ କରୁଥିବାରୁ ପ୍ରକଳ୍ପ ଗୁଡିକ ଧିମା ଗତିରେ ଚାଲୁଛି। ରାସ୍ତା ଖୋଳିବା ପରେ ନିୟମ ଅନୁସାରେ ପୁନରୁଦ୍ଧାର କାମ କରାଯାଉ ନ ଥିବାରୁ ଖାଲଖମା ରହୁଛି। ଏପରିକି କାର୍ଯ୍ୟ ସ୍ଥଳରେ ରାସ୍ତା ଉପରେ ବିଭିନ୍ନ ଯନ୍ତ୍ରପାତି ବହୁ ଦିନ ଧରି ପଡିରହୁଛି। ଦୀର୍ଘଦିନ ଧରି କାମ ଚାଳୁଥିବାରୁ ରାସ୍ତାରେ ଧୂଳି ଉଠି ଲୋକଙ୍କୁ ଅଣନିଃଶ୍ୱାସୀ କରି ପକାଉଛି।

Share