ୟେଲୋ ଜୋନ୍‌କୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ୭ ଶହ ମୁହାଁ ହୋଇଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୫ ଜିଲାରୁ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୩୯୭, ସ୍ଥାନୀୟ ସଂକ୍ରମିତ ୨୮୩ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୬୯, କଟକ ୫୯, ସମ୍ବଲପୁର ୪୨, ବାଲେଶ୍ୱର ୩୪, ଝାରସୁଗୁଡ଼ା ୨୫, ବରଗଡ଼ ୧୪, ନବରଙ୍ଗପୁର ୧୩, ଗଞ୍ଜାମରୁ ୧୨ ଜଣ ଥିବା ବେଳେ ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ରହିଛି।

ସଂକ୍ରମଣ ବଢୁଥିବାରୁ ଖୋର୍ଦ୍ଧା ଜିଲା ପୁଣି ୟେଲୋ ଜୋନ୍‌କୁ ଆସିଛି। ଜିଲାରେ ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦% ରହୁଛନ୍ତି। ପୂର୍ବରୁ ଏହା ରେଡ୍‌ ଜୋନ୍‌ରେ ରହିଥିଲା। ସଂକ୍ରମଣ କମିବା ପରେ ତାହା ୟେଲୋ ଓ ପରେ ଗ୍ରୀନ ଜୋନ୍‌କୁ ଆସିଥିଲା। କିନ୍ତୁ ଏବେ ପୁଣି ୟେଲୋ ଜୋନ୍‌ରେ ସାମିଲ ହୋଇଛି। ଜିଲାରେ ୧,୧୫୩ ଜଣ ସକ୍ରିୟ ରୋଗୀ ରହିଛନ୍ତି।

ରାଜ୍ୟରେ କରୋନା ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ଆଗକୁ ବି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ଯେହେତୁ ଅନ୍ୟ ରାଜ୍ୟ ବା ସହରରେ ସଂକ୍ରମଣ ବଢ଼ୁଛି, ସେହି ତୁଳନାରେ ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢ଼ିବ। ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।

Share