Advertisement

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା

ଖୋର୍ଦ୍ଧା ଅଫିସ,୬।୮: ଖୋର୍ଦ୍ଧା ଜିଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ଜିଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ବାଇଁ ଗୁରୁବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଏସ୍‌ପି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଜିଲା ପୋଲିସ ମୁଖ୍ୟାଳୟର ଜଣେ ପୋଲିସ କର୍ମଚାରୀ ସଂକ୍ରମିତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଏସ୍‌ପି ଆସିଥିବା ସନ୍ଦେହ କରାଯାଉଛି। ସଂକ୍ରମଣ ଆଶଙ୍କା କରି ସେ ନିଜର ସ୍ବାବ୍‌ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ୧୩ରୁ ୧୫ଜଣ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରହିବା ସହ ସ୍ବାବ୍‌ ଟେଷ୍ଟ କରାଇବା ପାଇଁ ଏସ୍‌ପି ପରାମର୍ଶ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ଏସ୍‌ପି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ। ତାଙ୍କୁ ହୋମ ଆଇସୋଲେଶନରେ ରହିବାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସେ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଦିବଂଗତ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ସମୁହ ନୀରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ। ନିକଟରେ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ୩ ଜଣ ପୋଲିସ କରୋନା ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ। ସେ ଆରୋଗ୍ୟ ଲାଭ କରିବେ ବୋଲି ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀମାନେ ଆଶାଯକ୍ତ କରିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share