ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ

ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ ପାଇଁ ଜୀବନ ଦେଇଥିଲେ। ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଖୁଦିରାମ ବୋଷଙ୍କୁ ୧୯୦୮ ମସିହା ଅଗଷ୍ଟ ୧୧ରେ ଫାଶୀ ଦିଆଯାଇଥିଲା।

ଖୁଦିରାମ ବୋଷ ୧୮୮୯, ଡିସେମ୍ବର ୩ରେ ବଙ୍ଗଳାର ମିଦନାପୁର ଜିଲାର ହବିବପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଖୁଦିରାମ ବୋଷ ବହୁତ ଛୋଟ ଥିବାବେଳେ ତାଙ୍କ ମାତାପିତାଙ୍କର ମୃତ୍ୟୁ ହୋଇଥିଲା। ବଡ଼ ଭଉଣୀ ତାଙ୍କ ଲାଳନ ପାଳନ ଦାୟିତ୍ୱ ନେଇଥିଲେ। ୧୯୦୫ ମସିହାରେ ବଙ୍ଗଳା ବିଭାଜନ ପରେ ଖୁଦିରାମ ବୋଷ ଦେଶ ସ୍ବାଧୀନତା ପାଇଁ ଆନ୍ଦୋଳନରେ ଯୋଗଦେଇଥିଲେ। ସତ୍ୟନ ବୋଷଙ୍କ ନେତୃତ୍ୱରେ ଖୁଦିରାମ ବୋଷ ତାଙ୍କର ବୈପ୍ଳବିକ ଜୀବନ ଆରମ୍ଭ କରିଥିଲେ।

ଖୁଦିରାମ ବୋଷ ସ୍କୁଲ ଦିନରୁ ରାଜନୈତିକ କାର୍ଯ୍ୟରେ ଭାଗ ନେବା ଆରମ୍ଭ କରିଥିଲେ। ସେ ଇଂରାଜୀ ସାମ୍ରାଜ୍ୟବାଦ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେ ନବମ ଶ୍ରେଣୀ ପରେ ଅଧ୍ୟୟନ ଛାଡିଥିଲେ। ସ୍କୁଲ ଛାଡିବା ପରେ ଖୁଦିରାମ ବିପ୍ଳବୀ ଦଳର ସଦସ୍ୟ ହୋଇଥିଲେ। ଯେତେବେଳେ ଖୁଦିରାମ ଶହୀଦ ହୋଇଥିଲେ, ତାଙ୍କର ବୟସ ୧୮ ବର୍ଷ ୮ ମାସ ୮ ଦିନ ଥିଲା। ୧୧ ଅଗଷ୍ଟ ୧୯୦୮ରେ ତାଙ୍କୁ ମୁଜାଫରପୁର ଜେଲରେ ଫାଶୀ ଦିଆଯାଇଥିଲା। ଖୁଦିରାମ ଶହୀଦ ହେବାପରେ ଛାତ୍ର ଓ ଅନ୍ୟମାନେ ଶୋକ ପ୍ରକାଶ କରିଥିଲେ। ଅନେକ ଦିନ ଧରି ବିଦ୍ୟାଳୟ, କଲେଜ ବନ୍ଦ ରହିଲା ଏବଂ ଯୁବକମାନେ ଏମିତି ଧୋତି ପିନ୍ଧିବା ଆରମ୍ଭ କଲେ, ଯାହାର ଧାରରେ ଖୁଦିରାମ ଲେଖାଯାଇଥିଲା।

Share