Categories: ମେଟ୍ରୋ

ନୂଆ ଟ୍ରେଣ୍ଡ୍‌ରେ ଖୋର୍ଦ୍ଧା ଗାମୁଛା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଟ୍ରେଣ୍ଡ୍‌ ବଦଳୁଛି, ଆଉ ତା’ ସହ ବଦଳୁଛି ଜୀବନଶୈଳୀ। ଓଡ଼ିଶାର ପାରମ୍ପରିକ ପରିଧାନରେ ଅତ୍ୟାଧୁନିକତାର ଛାପ ଦିନକୁ ଦିନ ରାଜ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛି। ବିଶେଷକରି ଓଡ଼ିଶା ହସ୍ତତନ୍ତରେ ଆକର୍ଷଣୀୟ ଡିଜାଇନ୍‌ ସହ ପ୍ରସ୍ତୁତ ହେଉଛି ନୂଆ ନୂଆ ପୋଷାକ, ଯାହା ଓଡ଼ିଶା ସମେତ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିବା ସହ ଟ୍ରେଣ୍ଡ୍‌ ସୃଷ୍ଟି କରୁଛି। ଏହି ନୂଆ ଟ୍ରେଣ୍ଡ୍‌ରେ ଏବେ ଯୋଡି ହୋଇଛି ଓଡ଼ିଶାର ଖୋର୍ଦ୍ଧା ଗାମୁଛା। କାହିଁ କେଉଁ କାଳରୁ ସ୍ବତନ୍ତ୍ରତା ବହନ କରି ଆସିଥିବା ଏହି ଗାମୁଛାରେ ଏବେ ଅନେକ ଡିଜାଇନ୍‌ର ପୋଷାକ ତିଆରି ହେଲାଣି। ସାଧାରଣ ଶ୍ରେଣୀର ଏହି ପୋଷାକରେ ଲାଗିଲାଣି ସମ୍ଭ୍ରାନ୍ତର ଛାପ। ଗାମୁଛାରୁ ଯେ ଭଳିକି ଭଳି ଡିଜାଇନ୍‌ର ପୋଷାକ ହୋଇପାରିବ ଓ ଏହା ମଧ୍ୟ ଭଲ ଆଦୃତି ଲାଭ କରିବ, ତାହା ଓଡ଼ିଶାର ଡିଜାଇନରମାନେ ହିଁ ପ୍ରମାଣ କରି ଦେଖାଇଛନ୍ତି। ଏଥିପାଇଁ ସବ୍ୟସାଚୀ ଶତପଥୀଙ୍କ ଭଳି ଅନ୍ତର୍ଜାତୀୟ ସ୍ତରର ଡିଜାଇନରମାନେ ଅଣ୍ଟା ଭିଡିଥିବାବେଳେ ଇତିମଧ୍ୟରେ ବଡ଼ ବଡ଼ ଫ୍ୟାଶନ ଶୋ’, ପ୍ରଦର୍ଶନୀରେ ଖୋର୍ଦ୍ଧା ଗାମୁଛାରୁ ପ୍ରସ୍ତୁତ ପୋଷାକ ସ୍ଥାନ ପାଇଲାଣି। ନିକଟରେ ଭୁବନେଶ୍ୱରରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଖୋର୍ଦ୍ଧା ଗାମୁଛାରୁ ତିଆରି ପ୍ୟାଣ୍ଟ, ଶାର୍ଟ, ବ୍ଲେଜର ଆଦି ପ୍ରଦର୍ଶିତ ହୋଇଥିଲା, ଯାହାକୁ ଦେଶବିଦେଶର ଅତିଥି ଓ ପରିଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ଏହାର ଡିଜାଇନ ବଜାରରେ ଅଳ୍ପ ମାତ୍ରାରେ ଉପଲବ୍ଧ ହେଉଥିଲେ ମଧ୍ୟ ଆଗକୁ ଭଲ ଗୁଣବତ୍ତା ସହ ନୂଆ ରୂପ ଦେବାରେ ଡିଜାଇନରମାନେ ପ୍ରୟାସ ଜାରି ରଖିଛନ୍ତି। ତେବେ ଗାମୁଛାରୁ ପ୍ରସ୍ତୁତ ନୂଆ ଡିଜାଇନକୁ ଲୋକପ୍ରିୟ କରିବା ସହ ଏହାର ମାନ ବୃଦ୍ଧି କରିବାରେ ଲାଗିପଡିଥିବା ଡିଜାଇନର ଓ ମଡେଲମାନେ ଓଡ଼ିଶାର ଏହି ନିଆରା ହସ୍ତତନ୍ତର ଉଜ୍ଜ୍ୱଳ ଭବିଷ୍ୟତ ସହ ବିଶ୍ୱ ବଜାର ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।

Share