Categories: ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ଖୁଶବୁ: ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

ଚେନ୍ନାଇ, ୧୨।୧୦: ତାମିଲନାଡୁରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଫିଲ୍ମ ଅଭିନେତ୍ରୀ ଖୁଶବୁ ସୁନ୍ଦର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ରାଜ୍ୟ ପ୍ରବକ୍ତା ପଦରୁ ତାଙ୍କୁ ହଟାଇ ଦିଆଯିବା ପରେ ଖୁଶବୁ କଂଗ୍ରେସରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ବୋଲି କୁହାଯାଉଛି। ଭାଜପାରେ ଯୋଗଦେବା ନେଇ ଏକ ପ୍ରଶ୍ନରରେ ଉତ୍ତରରେ ଖୁଶବୁ କହିଛନ୍ତି ଯେ, ଏସମ୍ପର୍କରେ ସେ କୌଣସି ଟିପ୍ପଣୀ ଦେବାକୁ ଚାହୁଁ ନାହାନ୍ତି। ୨୦୧୯ ଲୋକ ସଭା ନିର୍ବଚନରେ କଂଗ୍ରେସ ପକ୍ଷରୁ ତାଙ୍କୁ ଟିକଟ ନ ଦିଆଯିବାରୁ ସେ ଅସନ୍ତୁଷ୍ଟ ଥିଲେ। ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ନୂଆ ଚେହେରା ଖୋଜା ଯାଉଥିବାବେଳେ ଖୁଶବୁଙ୍କ ଇସ୍ତଫା ରାଜ୍ୟ ରାଜନୀତିକୁ ସରଗରମ କରିଛି। ସୂଚନାଯୋଗ୍ୟ, ଖୁଶବୁ ୨୦୧୦ରେ ଡିଏମ୍‌କେରେ ସାମିଲ ହୋଇଥିଲେ। ପରେ ୨୦୧୪ରେ ସେ ଡିଏମ୍‌କେ ଛାଡି କଂଗ୍ରେସରେ ଯୋଗଦେଇଥିଲେ। ଏବେ ସେ ପୁଣି ଦଳବଦଳ କରିବାକୁ ଯାଉଥିବା ନେଇ ଆଲୋଚନା ହେଉଛି।

Share