‘ଖୁସି’ ସଫ୍ଟଓ୍ବେର ଉନ୍ମୋଚିତ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସାନିଟାରି ନାପ୍‌କିନ୍‌ ବଣ୍ଟନ ପାଇଁ ସରକାର ‘ଖୁସି’ ଯୋଜନା ଆରମ୍ଭ କରିଥିଲେ। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍‌ ଓ ୫ଟି ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ଅଧୀନ ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ। ମଙ୍ଗଳବାର ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ‘ଖୁସି’ ସଫ୍ଟଓ୍ବେରକୁ ଉନ୍ମୋଚନ କରିଛନ୍ତି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟଓ୍ବେର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ପାରିବ ବୋଲି ମହାପାତ୍ର କହିଛନ୍ତି। ସେହିପରି ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରି ନାପ୍‌କିନ୍‌ ଯୋଗାଣକାରୀମାନେ ଠିକ୍‌ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ୍‌ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚତ୍ପାରିବ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀଙ୍କୁ ମାସିକ ୧୮ଟି ଲେଖାଏ ସାନିଟାରି ନାପ୍‌କିନ୍‌ ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ସାମଗ୍ରୀ ଯୋଗାଣ ପ୍ରକ୍ରିୟା ଚାଲୁ ରହିଛି। ଏଥିପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି। ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ୍‌ ଓ ରାଜ୍ୟ ଇନ୍‌ଫର୍‌ମେଟିକ୍ସ ଅଫିସର କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ। ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ।

Share