Categories: ଜାତୀୟ

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ ଘୋଷଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା ବାନାର୍ଜୀଙ୍କ ସମର୍ଥକମାନେ ଘୋଷଙ୍କୁ ଗୋଇଠା, ବିଧା ଓ ତଣ୍ଟିଆ ମାରିଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର। ଜଦୁ ବାବୁର ବଜାର ନିକଟରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଜଣେ ଭାଜପା କର୍ମୀ ଆହତ ହୋଇଥିବା ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୋମବାର ପ୍ରଚାରର ଅନ୍ତିମ ଦିନରେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ତିବ୍ରଓ୍ବୋଲଙ୍କ ପାଇଁ ଭବାନୀପୁରରେ ଅନେକ ବରିଷ୍ଠ ନେତାଙ୍କୁ ମୁତୟନ କରାଯାଇଥିଲା। ଘୋଷ ଘରରୁ ଘର ବୁଲି ବୁଲି ପ୍ରଚାର କରୁଥିବା ବେଳେ ଟିଏମ୍‌ସି କର୍ମୀ ଓ ସମର୍ଥକମାନେ ଘୋଷଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଫେରିଯିବାକୁ କହିଥିଲେ। ଏହାର କିଛି ସମୟ ପରେ ଟିଏମ୍‌ସି କର୍ମୀମାନେ ଘୋଷ ଓ ତାଙ୍କ ସୁରକ୍ଷା କର୍ମୀଙ୍କୁ ଧକ୍କା ପକାଇଥିଲେ। ଏପରିକି ଟିଏମ୍‌ସି କର୍ମୀଙ୍କୁ ଭିଡକୁ ତଡ଼ିବା ପାଇଁ ସୁରକ୍ଷା କର୍ମୀଙ୍କୁ ସର୍ଭିସ ରିଭଲଭର ଦେଖାଇବାକୁ ପଡ଼ିଥିଲା। ପରିସ୍ଥିତି ଜଟିଳ ହେଉଥିବା ଦେଖି ଦଳୀୟ କର୍ମୀଙ୍କ ସହ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଘୋଷ।

ଘୋଷ ଘଟଣା ଉପରେ କହିଛନ୍ତି, ଭବାନୀପୁରରେ ଆମ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ସେମାନେ ଆମ କର୍ମୀଙ୍କ ମୁଣ୍ଡ ଫଟାଇ ଦେଲେ। ଏପରି କି ମୋତେ ଗୋଇଠା ମାରିଲେ। ଏଭଳି ପରିସ୍ଥିତିରେ ଉପ ନିର୍ବାଚନ କେମିତି ହେବ ମୋତେ ଜଣାନାହିଁ। ଗଣତନ୍ତ୍ର କାହିଁ। ଆମେ ଏ ନେଇ ନିର୍ବାଚନ ଆୟୋଗଙ୍କଠାରେ ଦ୍ୱାରସ୍ତ ହେବୁ। କିନ୍ତୁ ମୋତେ ଜଣାନାହିଁ ଲୋକେ ଭୋଟ ଦେବେ କେମିତି?

Share