ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି। ନାବାଳିକାଙ୍କୁ ଅପହରଣ ଘଟଣାରେ ସମ୍ପୃକ୍ତ କାହ୍ନା ବାରିକଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁରସ୍ଥିତ ପୋକ୍ସକୋର୍ଟକୁ ଚାଲାଣ କରଛିି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ବୁଧବାର ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ନାବାଳିକାଙ୍କ ମା’ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମକଦ୍ଦମା ରୁଜୁ କରି ନାବାଳିକାଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ଟିମ ଗଠନ କରିଥିଲେ। ଟିମ ସଦସ୍ୟ ପାଟପୁର ଥାନା ଏଏସଆଇ ସୁଧୀର କୁମାର ନାୟକ,ଶିବଶଙ୍କର ତ୍ରିପାଠୀ ସଦଳବଳେ ଭୁବନେଶ୍ୱରସ୍ଥିତ ଏକ ଘରୁ ଅଭିଯୁକ୍ତ ଏବଂ ନାବାଳିକାଙ୍କୁ ଉଦ୍ଧାର କରି ପାଟପୁର ଥାନାକୁ ନେଇଥିଲେ।ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ନାବାଳିକାଙ୍କୁ ତାଙ୍କ ମାଆଙ୍କୁ ଜିମା ଦିଆଯାଇଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା॥


