ଅପହୃତା ଓଡ଼ିଆ ଯୁବକ ପଶ୍ଚିମବଙ୍ଗରୁ ଉଦ୍ଧାର: ୮ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ

ସୋର, ୩ା୩: ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଅଞ୍ଚଳର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ବନ୍ଧୁକ ମୂନରେ ପଣବନ୍ଦୀ କରି ୮ ଲକ୍ଷ ଟଙ୍କା ଦାବି କରୁଥିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ଅପହୃତଙ୍କ ସ୍ତ୍ରୀ ମଙ୍ଗଳବାର ରାତିରେ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଆଧାର କରି ପୋଲିସ ପଣବନ୍ଦୀ ହୋଇଥିବା ଯୁବକଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ନ୍ୟାଶନାଲ ପାର୍କରୁ ଉଦ୍ଧାର କରି ସୋରକୁ ଆଣୁଥିବା ଜଣାପଡିଛି।
ସୋର ଥାନା ସାଜନପୁର ପଞ୍ଚାୟତ କେଶପୁର ଗ୍ରାମର ତାପସ କୁମାର ମହାନ୍ତି ୮ ବର୍ଷ ହେବ ବାଙ୍ଗାଲୋରର ଏକ କ୍ୟାଣ୍ଟିନ୍‌ରେ କାମ କରୁଥିଲେ। ୧୫ଦିନ ତଳେ ତାପସ ଘରକୁ ଆସିଥିଲେ। କୋଭିଡ୍‌ ପାଇଁ ଗତ ବଷର୍ର୍ ଭଳି ଏଥର ଲକ୍‌ଡାଉନ ହେବା ଆଶଙ୍କାରେ ଘରେ ଥିବା ବେଳେ ଗତ ୨୮ ତାରିଖରେ ଏକ ଅଜଣା ନମ୍ବରରୁ ଭଲ କାମ ଅଛି କୋଲକାତା ଆସିବା ଲାଗି ଫୋନ କଲ୍‌ ଆସିଥିଲା। ସେହିଦିନ ତାପସ ତୁରନ୍ତ କୋଲକାତା ଚାଲିଯାଇଥିଲେ। ପରେ ସନ୍ଧ୍ୟାରେ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ ତୁମ ସ୍ବାମୀଙ୍କୁ ଅପହରଣ କରାଯାଇଛି, ୮ଲକ୍ଷ ଟଙ୍କା ଆକାଉଣ୍ଟରେ ଜମା କଲେ ସ୍ବାମୀଙ୍କୁ ଛାଡିବୁ ନଚେତ୍‌ ହତ୍ୟା କରିବୁ ବୋଲି ଖୋଲାଖୋଲି ଧମକ ଦେଇଥିଲେ। ମାର୍ଚ୍ଚ ୨ ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତଗୋଡ ବନ୍ଧାଯାଇଥିବା ସହ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଏକ ଭିଡିଓ ତାଙ୍କ ମୋବାଇଲ୍‌କୁ ଆସିଥିଲା। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାସହ ଭୟଭୀତ ହୋଇ ତାପସଙ୍କ ପରିବାର ଲୋକେ ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିଲେ। ଅଭିଯୋଗ ପାଇ ସୋର ଥାନାରେ ଏକ ମାମଲା (ନଂ.୯୧/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ପ୍ରତାପ କାଲୋ, ଏଏସ୍‌ଆଇ ପ୍ରଦୀପ ମହାନ୍ତି ଓ କନଷ୍ଟେବଳ ମମତା ପାତ୍ରଙ୍କ ସମେତ ଏକ ୬ଜଣିଆ ଟିମ୍‌ କୋଲକାତାରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ତାପସଙ୍କୁ କୋଲକାତା ସୁନ୍ଦରବନ ନ୍ୟାଶନାଲ ପାର୍କ ନିକଟରେ ଥିବା ବିଲ ମଝିରେ ଏକ ନିଛାଟିଆ ଘରୁ ଉଦ୍ଧାର କରି ସୋରକୁ ଆଣୁଥିବା ଜଣାପଡିଛି। ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀମାନେ ଫେରାର ହୋଇଯାଇଥିଲେ।

Share