୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ଦେଶରେ ଗୃହଯୁଦ୍ଧ ଚାଲିଥିବାରୁ ସୈନ୍ୟଙ୍କ ଗୁଳିମାଡ଼ରେ ଓମାରଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ଅନେକେ ଧରି ନେଇଥିଲେ। ଆମତ୍ୀୟ ସ୍ବଜନ ମଧ୍ୟ ଓମାରଙ୍କ ଫେରିବା ଆଶା ଛାଡ଼ି ଦେଇଥିଲେ। ଇତିମଧ୍ୟରେ ୨୬ ବର୍ଷ ବିତିଯାଇଥିବାବେଳେ ଓମାରଙ୍କ ହଠାତ୍‌ ଆବିର୍ଭାବ ପରିବାର ଲୋକଙ୍କୁ କେବଳ ବିସ୍ମିତ କରିନାହିଁ, ବରଂ ସେମାନଙ୍କ ମନରେ ଆନନ୍ଦ ଭରିଦେଇଛି। ତାଙ୍କ ଘରଠାରୁ ମାତ୍ର ୧୦୦ ମିଟର ଦୂର ଜଣେ ପଡ଼ୋଶୀଙ୍କ ଘରୁ ଓମାରଙ୍କୁ ଠାବ କରାଯାଇଛି। ଓମାରଙ୍କୁ ବନ୍ଦୀ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ତାଙ୍କୁ ନିର୍ଯାତନା ଦେଉଥିବା ସନ୍ଦେହ କରାଯାଉଛି। ଓମାର ଠାବ ହୋଇଥିବା ଘର ମାଲିକ ପଡ଼ୋଶୀ ଜଣେ ସରକାରୀ କର୍ମଚାରୀ। ସେ ଏକାକୀ ରହୁଥିଲେ ଏବଂ ଓମାରକୁ ବନ୍ଦୀକରି ରଖିଥିବା ଜେଲ୍‌ଫା ଆଟର୍ନି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ପଡ଼ୋଶୀଙ୍କୁ ଗିରଫ କରାଯାଇଛି।

Share