Advertisement

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଜଣେ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ବିଚାରପତି ତାଙ୍କ ରାୟରେ ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ତ ଗ୍ରାମର ଅଭିଯୁକ୍ତ ଅଭିମନ୍ୟୁ ପାତ୍ର(୨୩)ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ତରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ରାୟ ଶୁଣାଇଛନ୍ତି।

୨୦୨୨ ଜାନୁଆରୀ ୫ ରେ ୧୬ ବର୍ଷିୟା ନାବାଳିକା କଲେଜ ଯିବା ସମୟରେ ଅଭିମନ୍ୟୁ ତାଙ୍କୁ ଅପହରଣ କରି କଟକ ଜିଲା ଘଣ୍ଟିଖାଲ ଏକ ଭଡା ଘରେ ନେଇ ରଖିଥିଲେ। ପରିବାର ଲୋକେ ଝିଅଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଘଣ୍ଟିଖାଲରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୋମବାର କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପୋରକ୍ତ ଦଣ୍ତାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share