ବନ୍ଧୁକ ଲଗାଇ ଅପହରଣ ପରେ ହତ୍ୟା ଉଦ୍ୟମ

ଗୋପ,୨୫।୪(ଡି.ଏନ୍‌.ଏ.): ସୋମବାର ବିଳମ୍ବିତ ରାତିରେ ଗୋପ ଥାନା ଅନ୍ତର୍ଗତ ଓରୁଆଳି ଗ୍ରାମ ନିକଟରେ ପାନ ଦୋକାନ କରିଥିବା ଉକ୍ତ ଗ୍ରାମର ପ୍ରଦୀପ ଦାସ(୨୮)ଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ସେ ଭୁବନେଶ୍ୱରର ଧଉଳି ଥାନା ଅଧୀନ ଧଉଳି ପାହାଡ଼ ତଳୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଅପହୃତ ପ୍ରଦୀପଙ୍କ ବାପା ଦେବନ କୁମାର ଦାସ ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୧୮୯/୨୩ ) ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, କୌଣସି କାରଣକୁ ନେଇ ସୋମବାର ରାତିରେ ପ୍ରଦୀପ ନିଜ ପାନ ଦୋକାନ ବନ୍ଦ କରି ଘରକୁ ନ ଯାଇ ସେଠାର ହିଁ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ନିକଟସ୍ଥ ଶଙ୍ଖତିରା ଗ୍ରାମର ୭ଜଣ ଯୁବକ ଉକ୍ତ ପାନ ଦୋକାନ ନିକଟକୁ ଆସି ପ୍ରଦୀପଙ୍କୁ ଉଠାଇ ପାନ ସିଗାରେଟ ମାଗିଥିଲେ। ସେ ଦୋକାନ ଖୋଲିବା ମାତ୍ରେ ଅଭିଯୁକ୍ତମାନେ ବନ୍ଧୁକ ଲଗାଇ ତାଙ୍କୁ ଏକ କାର୍‌ ଯୋଗେ ଅପହରଣ କରି ନେଇଥିଲେ। ଗାଡ଼ି ଭିତରେ ପ୍ରଦୀପଙ୍କୁ ମାଡ଼ ମାରିବା ସହ ମଦ ବୋତଲରେ ମୁଣ୍ଡ ଫଠାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରି ଅଭିଯୁକ୍ତମାନେ ଭୁବନେଶ୍ୱର ଧଉଳି ପାହାଡ ନିକଟରେ ଫୋପାଡି ଦେଇ ଚାଲିଯାଇଥିଲେ। ମଙ୍ଗଳବାର ଭୋରୁ ଜଣେ ବ୍ୟକ୍ତି ଧଉଳି ପାହାଡ଼ ଦେଇଯାଉଥିବା ବେଳେ କେହି ମୁର୍ମୂଷୁ ଅବସ୍ଥାରେ ପଡିଥିବା ଦେଖି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ପ୍ରଦୀପଙ୍କ ଚେତା ଆସିବା ପରେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ସବୁ କଥା କହିଥିଲେ। ପ୍ରଦୀପଙ୍କ ଗୋଡ ଭାଙ୍ଗିବା ସହିତ ମୁଣ୍ଡ ଓ ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ତାଙ୍କ ବାପା କହିଛନ୍ତି। ଆଉ ମଧ୍ୟ ସେ କହିଛନ୍ତି ଯେ ପୁଅ ଅପହରଣ ହେବା ନେଇ ସୋମବାର ଭୋର୍‌ ସମୟରେ ଗୋପ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ମୋ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଧଉଳି ପୋଲିସ କହିବା ପରେ ମୁଁ ଥାନାରେ ଅଭିଯୋଗ କରିଛି। ତେବେ ପ୍ରଦୀପଙ୍କୁ କିଏ ଓ କାହିଁକି ଅପହରଣ କରି ହତ୍ୟା ଉଦ୍ୟମ କଲା ସେନେଇ ପୋଲିସ ତଦନ୍ତ ଚଳାଇଛି।