ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ ନିର୍ଯାତନା ଦେଇଥିଲେ। ଏଭଳି ଅଭିଯୋଗ ଆଣିଛନ୍ତି ବଡମାଲ ଥାନା ଅଧୀନ ବଞ୍ଜରୀ ଗ୍ରାମର ବିହାରୀ ଓରାମଙ୍କ ପୁଅ ଦିଲୀପ ଓରାମ। ସେ ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା( ନଂ.୧୭୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ପୋଲିସ କମ୍ପାନୀର କିଛି ସୁରକ୍ଷା ଅଧିକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି, ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ୨୫ ତାରିଖରୁ ବିହାରୀ ଓରାମ(୫୫) ନିଖୋଜ ଥିଲେ। ଏନେଇ ତାଙ୍କ ପୁଅ ଦିଲୀପ ବଡମାଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା(ନଂ.୧୫/୨୧) ରୁଜୁ କରି ଖୋଜାଖୋଜି କରିଥିଲା। ହେଲେ ବିହାରୀଙ୍କ ନିଖୋଜ ସମ୍ପର୍କରେ କୌଣସି ପତ୍ତା ମିଳି ନ ଥିଲା। ଏହା ଗ୍ରାମରେ ପ୍ରଚାର ହୋଇଥିଲା। ବିହାରୀଙ୍କୁ କମ୍ପାନୀର କିଛି ସିକ୍ୟୁରିଟି ଅଟକ ରଖିଥିବା ପ୍ରକଳ୍ପରେ କାମ କରୁଥିବା କିଛି ମହିଳା ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜଣାପଡିବା ପରେ ଅସନ୍ତୋଷ ଗ୍ରାମବାସୀ କମ୍ପାନୀ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ। ଏହି ସମ୍ପର୍କରେ ଖବର ପାଇ କୁଆଡେ କମ୍ପାନୀ ସିକ୍ୟୁରିଟିମାନେ ବିହାରୀଙ୍କୁ ଗାଁରେ ଛାଡି ଆସିଥିଲେ। ବିହାରୀ ଘରେ ପହଞ୍ଚିଲା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ଜଣାଇଥିଲେ। ଏନେଇ କମ୍ପାନୀର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତ୍ୟୁଷ ଜେନା କହିଛନ୍ତି ଅଭିଯୋଗ ପରେ କମ୍ପାନୀର ମୁଖ୍ୟ ସିକ୍ୟୁରିଟି ଅଧିକାରୀଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିଲା। ପଚରାଉଚୁରା ପରେ ଛାଡି ଦିଆଯାଇଛି। ଏଥିରେ କମ୍ପାନୀର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।