ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ ହଲେ ଅଜୁ ବରାଳ ଓ ରୋହନ ସନ୍ଦିରିଆ। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୩୨/୨୨) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ଅଜୁ ଭାଜପାର ପୂର୍ବତନ ଜଣେ ଜିଲା ସଭାନେତ୍ରୀଙ୍କ ପୁଅ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଏକ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ମନୋରଞ୍ଜନ ସାହୁଙ୍କୁ ଅଭିଯୁକ୍ତମାନେ ଫୋନ୍‌ କରି ଡାକିଥିଲେ। ହେଲେ ସେ ଆସିବାକୁ ମନାକରି ଦେଇଥିଲେ। ପରେ ଉକ୍ତ କମ୍ପାନୀର ଅନ୍ୟ ଜଣେ କର୍ମଚାରୀଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇ ତାଙ୍କ ବାଇକ୍‌, ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଖବର ପାଇ ମନୋରଞ୍ଜନ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଅପହରଣ କରି ଏକ ଗୋଦାମ ଗୃହକୁ ନେଇଯାଇଥିଲେ। ପରେ ଫୋନ୍‌ ପେ’ରେ ତାଙ୍କଠାରୁ ୨୦ ହଜାର ଟଙ୍କା ନେଇଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ଅଭିଯୁକ୍ତ ଅଜୁଙ୍କ ନିକଟରୁ ଲୁଟ୍‌ ଟଙ୍କା, ମୋବାଇଲ, ବାଇକ୍‌ ଜବତ ହୋଇଥିବା ଥାନା ଅଧିକାରିଣୀ ଅନିତା ପ୍ରଧାନ ସୂଚନା ଦେଇଛନ୍ତି।

Share