୨ ଯୁବକଙ୍କୁ ଅପହରଣ: ଥାନାରେ ମାମଲା

ବଡ଼ଗାଁ,୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟ ଡ୍ୟାମଠାରେ ଭୋଜି କରିବାକୁ ଯାଇଥିବା ଝାରମୁଣ୍ଡା ଗ୍ରାମର ୧୦ଜଣ ଯୁବକଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ମାଡ ମାରିବା ସହିତ ଭୂଜାଲିରେ ଆକ୍ରମଣ ହୋଇଛି। ଫଳରେ ୩ଜଣ ଆହତ ହୋଇଥିଲା ବେଳେ ଭୂଜାଲି ମାଡରେ ଆହତ ୨ଯୁବକଙ୍କୁ ଅପହରଣ କରି ନିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ ଡ୍ୟାମରେ ଭୋଜି କରୁଥିବା ଇତମା ଗ୍ରାମର ଯୁବକଙ୍କ ସହିତ ବିରବିରା ଗ୍ରାମର ଯୁବକଙ୍କ ହାତାହାତି ହୋଇଥିଲା ଓ ପରେ ଘଟଣାର ସମାଧାନ ହୋଇଯାଇଥିଲା। କିଛି ସମୟ ପରେ ୩୦ରୁ ୩୫ ଜଣ ଯୁବକ ବାଇକରେ ଆସି ଖାଇବାକୁ ବସିଥିବା ଝାରମୁଣ୍ଡା ଗ୍ରାମର ଯୁବକମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଭୂଜାଲି ମାଡରେ ସରୋଜ ନାଏକ, ଜଗବନ୍ଧୁ ନାଏକ ଓ ଭାତଲଅଡା ଗ୍ରାମର ଗୋବିନ୍ଦ ପୃଷେଟ ଆହତ ହୋଇଥିଲା ବେଳେ ଆହତ ଟଙ୍କଧର ନାଏକ (୩୫) ଓ ଯୁଗେଶ୍ୱର ନାଏକ(୨୨)ଙ୍କୁ ଦୁର୍ବୁତମାନେ ବାଇକରେ ବସାଇ ନେଇଯାଇଛନ୍ତି । ବଡଗାଁ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି ।