Categories: ଜାତୀୟ

୮ ବର୍ଷର ଝିଅକୁ ଅପହରଣ କଲେ ମା’

ଲକ୍ଷ୍ନୌ,୨୩।୫: ଉତ୍ତର ପ୍ରଦେଶର ଫତେହପୁର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ୮ ବର୍ଷର ଝିଅକୁ ଅପହରଣ କରିନେଇଥିବା ଜଣାପଡିଛି। କିନ୍ତୁ ପଡୋଶୀ ଦୁଇ ଭାଇଙ୍କ ନାଁରେ ଝିଅ ଅପହରଣ ଅଭିଯୋଗ ଆଣି ମହିଳା ଜଣଙ୍କ ପୋଲିସ ଦ୍ୱାରସ୍ତ ହୋଇଥିଲେ। ଶେଷରେ ପୋଲିସ ମାମଲା ଉପରୁ ପରଦା ହଟାଇଛି। ସୂଚନାଯୋଗ୍ୟ, ଫତେପୁରର ବିନ୍ଦକୀ କୋତାଭାଲିରେ ୪ ଦିନ ପୂର୍ବରୁ ଜଣେ ୮ ଝିଅ ଅପହରଣ ମାମଲା ସାମ୍ନାକୁ ଆସିଥିଲା। ଏହି ଝିଅକୁ ନିଜ ମା’ ଲୁଚାଇ ରଖିଥିଲେ। କିନ୍ତୁ ପଡୋଶୀ ଦୁଇ ଭାଇ ଶାନ୍ତନୁ ଏବଂ ରିଷଭଙ୍କ ନାଁରେ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ ଆଣିଥିଲେ। ପୋଲିସ ଏହି ମାମଲାରେ ଯାଞ୍ଚ୍‌ ଆରମ୍ଭ କରିଥିଲା। ପ୍ରଥମେ ପୋଲିସ ସମ୍ପୃକ୍ତ ଦୁଇ ଭାଇଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। କିନ୍ତୁ ଉଭୟଙ୍କ ସଫାସଫା ମନା କରିଦେଇଥିଲେ। ସେମାନେ କହିଥିଲେ ଜମିବାଡି ମାମଲାକୁ ନେଇ ଝିଅର ମା’ ସେମାନଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ଏହାପରେ ପୋଲିସ ସମ୍ପୃକ୍ତ ମହିଳା ଏବଂ ତାଙ୍କ ସମ୍ପର୍କୀୟଙ୍କ ଫୋନ୍‌ କଲ୍‌ ଯାଞ୍ଚ୍‌ କରିବାରୁ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଝିଅଟିକୁ କାନପୁରରେ ଲଚାଇ ରଖାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ଝିଅଟିକୁ ଉଦ୍ଧାର କରିଥିଲା। ପରେ ଝିଅଟି ସବୁ କାହାଣୀ ପୋଲିସ ଆଗରେ କହିଥିଲେ। ଶେଷରେ ପୋଲିସ ସମ୍ପୃକ୍ତ ମହିଳା ଏବଂ ଅନ୍ୟଜଣେ ପଡୋଶୀଙ୍କୁ ଗିରଫ କରିଛି।

Share