ବୈଶିଙ୍ଗା,୨୭ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକା ଗ୍ରାମ ପୋଖରୀକୁ ପାଣି ଆଣିବାକୁ ଯାଇ ଘରକୁ ଫେରିନାହାନ୍ତି। ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିରାଶ ହୋଇ ତାଙ୍କୁ କେହି ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ.୩୧୦/୨୧) ରୁଜୁ କରିଛି। ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ବେଦପ୍ରକାଶ ନନ୍ଦ ଘଟଣାର ତଦନ୍ତ କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ବାଲେଶ୍ବର ଜିଲା ରେମୁଣା ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଅପହୃତା କିମ୍ବା ଅପହରଣକାରୀଙ୍କ ସନ୍ଧାନ ପାଇପାରିନାହିଁ। ସୂଚନା ଅନୁଯାୟୀ, ରେମୁଣା ଅଞ୍ଚଳର ଜଣେ ଯୁବକ ଅପହୃତା ନାବାଳିକାଙ୍କ ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ବାରମ୍ବାର ଆସୁଥିବା ବେଳେ ନାବାଳିକାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ବୋଲି ନାବାଳିକାଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଛନ୍ତି।