ନାବାଳିକାଙ୍କୁ ଅପହରଣ-ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୧।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସହିଦ ମଲ୍ଲିକଙ୍କୁ ସୋମବାର ଗିରଫ କରି ସନ୍ଧ୍ୟାରେ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୧୦/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନାବାଳିକା ଜଣକ ଘରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ସନ୍ଧାନ ମିଳି ନ ଥିଲା। ଗଜପତି ଜିଲା ଅଡବା ଗ୍ରାମର ସହିଦ ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇଥିବା ଜଣାପଡିଥିଲା। ଏନେଇ ନାବାଳିକାଙ୍କ ବାପା ରବିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କୌଶଳକ୍ରମେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ନାବାଳିକାଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତ ତାଙ୍କ ଇଚ୍ଛା ବିରୋଧରେ ଯାଇ ବାରମ୍ବାର ବଳାତ୍କାର କରିଥିବା ଏତଲାରେ ଉଲ୍ଲେଖ ରହିଛି।

 

Share