ନାବାଳିକାଙ୍କୁ ଅପହରଣ, ବଳାତ୍କାର: ଅଭିଯୁକ୍ତ ଗିରଫ

ରେଢ଼ାଖୋଲ,୮।୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ନାବାଳକ (ଏବେ ସାବାଳକ)ଙ୍କୁ ମଙ୍ଗଳବାର ଗିରଫକରି ସମ୍ବଲପୁର ଜୁଭେନାଇଲ କୋର୍ଟ ଚାଲାଣ କରିଛି। ସୂଚନାମତେ ପ୍ରାୟ ୬ମାସ ପୂର୍ବେ ଅଭିଯୁକ୍ତଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ପରିବାର ଲୋକେ ଏହା ଜାଣିବା ପରେ ବିରୋଧ କରିବାରୁ ଉଭୟେ ଘରୁ ଫେରାର ହୋଇଯାଇଥିଲେ। କିଛିଦିନ ପରେ ନାବାଳିକା ଘରକୁ ଫେରିବା ପରେ ତାଙ୍କ ମା’ ରେଢ଼ାଖୋଲ ଥାନାରେ ଗତ ମେ’ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ନାବାଳିକା ଝିଅକୁ ଅଭିଯୁକ୍ତ ଅପହରଣ କରି ବଳାତ୍କାର କରିବା ସହ ପ୍ରତାରଣା କରିଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୨୨/୨୩) ରୁଜୁକରି ତଦନ୍ତ ଚଳାଇଥିଲା। ତେବେ ସେହିଦିନଠାରୁ ଅଭିଯୁକ୍ତ ନାବାଳକ ଫେରାର ଥିଲେ। ଘଟଣା ସମୟରେ ନାବାଳକଙ୍କ ବୟସ ୧୭ବର୍ଷ ୧୦ ମାସ ୨୬ ଦିନ ହୋଇଥିବା ବେଳେ ଏବେ ୧୮ ବର୍ଷରୁ ଊଦ୍ଧର୍‌ବ ହେବ। ହେଲେ ତାଙ୍କୁ ଜୁଭେନାଇଲ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବିତାବାଳା ସେଠୀ କହିଛନ୍ତି।

Share